କିଶୋରୀଙ୍କୁ ଦିଆଯିବ ଟିଡି ଟୀକା
କିଶୋରୀଙ୍କୁ ଦିଆଯିବ ଟିଡି ଟୀକା
admin
Jun 29, 2019 - 06:40
Updated: Jun 29, 2019 - 06:40
ଭୁବନେଶ୍ୱର : ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ୧୦ ରୁ ୧୬ ବର୍ଷ ବୟସର କିଶୋରୀମାନଙ୍କୁ ଟିଟାନସ ଡିପଥେରିଆ ବା ଟିଡି ଟିକା ଦେବା ଲାଗି ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଦ୍ୟାଳୟ ଯାଉଥିବା ୫ ରୁ ୧୦ ଶ୍ରେଣୀର କିଶୋରୀମାନଙ୍କୁ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଏହାକୁ ପ୍ରଦାନ କରାଯିବ । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବା ଆରବିଏସ୍କେ ଅଧୀନରେ ବର୍ଷକୁ ଥରଟିଏ ଏହି ଟିକା ଦିଆଯିବ ।
ଜିଲ୍ଲାସ୍ତରୀୟ ୯୦ ପ୍ରତିଶତ କିଶୋରୀମାନଙ୍କୁ ଟିଡି ଟିକା ଦିଆଯିବାର ଲକ୍ଷ୍ୟ ରହିଛି । ପୂର୍ବରୁ କିଶୋରୀ ଓ ଗର୍ଭବତୀ ମହିଳାଙ୍କୁ ଟିଟି ଦିଆଯାଉଥିବା ବେଳେ ଏହା ପରିବର୍ତ୍ତେ ଏବେ ଟିଡି ଟିକା ପ୍ରଦାନ କରାଯିବ । ଟିଡି ଟିକାକରଣ କ୍ଷେତ୍ରରେ ୯୦ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ ଲାଗି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ସ୍କୁଲ ଯାଉଥିବା ଓ ଏହାର ଆଖପାଖରେ ରହୁଥିବା ପିଲାମାନଙ୍କୁ ଟିକାକରଣ ଲାଗି ଯୋଜନା ପ୍ରସ୍ତୁତ କରିବେ । ଆଶାମାନେ ସ୍ୱାସ୍ଥ୍ୟକର୍ମୀଙ୍କୁ ଗୋଷ୍ଠୀସ୍ତରରେ ସହାୟତା କରିବା ସହ ବିଦ୍ୟାଳୟ ଟିକାକରଣ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରିବେ । ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଆରବିଏସକେ ଟିମ୍ର ସହାୟତା ନେବେ । ପ୍ରତିଦିନ ଟିକାକରଣର ସୂଚନା ମହିଳା ସ୍ୱାସ୍ଥ୍ୟକର୍ମୀମାନେ ବ୍ଲକକୁ ଦେବେ । ବ୍ଲକସ୍ତରରେ ଏହାର ସମୀକ୍ଷା ସହିତ ପ୍ରତିଦିନ ଜିଲ୍ଲାକୁ ଦିଆଯିବ । ଜିଲ୍ଲାସ୍ତରରୁ ପ୍ରତିଦିନ ଏହି ରିପୋର୍ଟ ରାଜ୍ୟସ୍ତରକୁ ଆସିବା ସହ ଏଚଏମଆରଏସ ପୋର୍ଟାଲରେ ଅପଲୋଡ କରିବାକୁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।