୧୦ ବର୍ଷର ଶିଶୁ କନ୍ୟାକୁ ବିକିଲା ବାପା
୧୦ ବର୍ଷର ଶିଶୁ କନ୍ୟାକୁ ବିକିଲା ବାପା
admin
Oct 22, 2019 - 12:59
Updated: Oct 22, 2019 - 12:59
ଅହମଦାବାଦ୍ : ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଜଣେ ବ୍ୟକ୍ତି ଦାରିଦ୍ର୍ୟର ତାଡ଼ନା ସହିନପାରି ଶେଷରେ ନିଜ ୧୦ ବର୍ଷର ଝିଅକୁ ବିକି ଦେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ଶିଶୁ କନ୍ୟା ବିକ୍ରି ଘଟଣାରେ ଏବେ ତଦନ୍ତ ତରାନ୍ୱିତ ହୋଇଛି । ଉକ୍ତ ଶିଶୁ କନ୍ୟାର ବିବାହ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ସାମାଜିକ ନ୍ୟାୟ ବିଭାଗ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଶିଶୁ ବିବାହ ନିବାରଣ ଆଇନ ଅଧୀନରେ ପୁଲିସ ଉକ୍ତ ମାମଲାରେ ତଦନ୍ତ ଆରମ୍ଭ କରିଛି । ସାମାଜିକ ନ୍ୟାୟ ଜିଲ୍ଲା ଅଧିକାରୀ ମନିଷ ଯୋଶୀ ଉକ୍ତ ମାମଲାରେ ହଦାଦ୍ ପୁଲିସରେ ଏକ ଏଫ୍ଆଇଆର ରୁଜୁ କରିଛନ୍ତି ଏବଂ ନାବାଳିକାକୁ ତା'ର ପିତା ୫୦,୦୦୦ ଟଙ୍କାରେ ବିବାହ ପାଇଁ ବିକ୍ରି କରିଦେଇଥିବା ସ୍ୱୀକାର କରିଛନ୍ତି । ଦାନ୍ତା ତଲୁକା ସ୍ଥିତ ଖେରମାଲ୍ ଗ୍ରାମରେ ଏହି ଘଟଣା ଘଟିଛି । ଅହମଦାବାଦର ଅସରୱା ସ୍ଥିତ ଗୋବିନ୍ଦ ଥାକୋର୍ ନାମକ ଜଣେ ୩୭ ବର୍ଷୀୟ ବ୍ୟକ୍ତି ଶିଶୁ କନ୍ୟାର ପିତାଙ୍କୁ ୫୦ ହଜାର ଟଙ୍କା ଦେଇ ଝିଅଟିକୁ କିଣି ନେଇଥିଲା ଏବଂ ପରେ ତାକୁ ବିବାହ କରିଥିଲା । ତେବେ ଅହମଦାବାଦ ପୁଲିସର ମହିଳା ଅପରାଧ ଶାଖା ଦ୍ୱାରା ଅସରୱାରେ ଏକ ଘରେ ଚଢ଼ଉ କରି ଉକ୍ତ ଶିଶୁକୁ ଉଦ୍ଧାର କରାଯାଇଛି ଏବଂ ତାକୁ ମହିଳା ସୁରକ୍ଷା ଗୃହକୁ ପଠାଇ ଦିଆଯାଇଛି ।
ପୁଲିସ ସୂଚନାନୁଯାୟୀ ଉକ୍ତ ଶିଶୁ କନ୍ୟାର ବାପା ଅତି ଗରିବ । କିଛି ମାସ ହେବ ତାଙ୍କୁ କିଛି କାମ ମିଳୁନଥିଲା । ଅନ୍ୟ ୩ ଜଣ ଶିଶୁଙ୍କୁ ଖାଇବାକୁ ଦେବାପାଇଁ ମଧ୍ୟ ସେ ଅସମର୍ଥ ଥିଲେ । ଆଇନ କାନୁନ ବିଷୟରେ କିଛି ଅବଗତ ନଥିବା ଉକ୍ତ ବ୍ୟକ୍ତି ଗ୍ରାମର ଜଣେ ଦଲାଲର କଥାରେ ପଡ଼ି ଝିଅକୁ ବିକି ଦେବାପାଇଁ ନିଷ୍ପତ୍ତି ନେଇଥିଲେ । ଦଲାଲର କଥା ଅନୁଯାୟୀ ସେ ଝିଅକୁ ଏକ ମେଳାକୁ ନେଇ ଯାଇଥିଲା । ସେଠାରେ ଅସୱରର ଗୋବିନ୍ଦ ଠାକୋର ନାମକ ଜଣେ ବ୍ୟକ୍ତି ଉକ୍ତ ଶିଶୁ କନ୍ୟାକୁ ୫୦,୦୦୦ ଟଙ୍କା ଦେଇ କିଣିଥିଲା ।