୧୬ରୁ ପୁଣି ବର୍ଷା ଡର

୧୬ରୁ ପୁଣି ବର୍ଷା ଡର

୧୬ରୁ ପୁଣି ବର୍ଷା ଡର
ଭୁବନେଶ୍ୱର: ୧୬ରୁ ପୁଣି ବଦଳିବ ଓଡ଼ିଶାର ପାଗ । ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ରାତିର ତାପମାତ୍ରା ପୁଣିଥରେ ବଢ଼ିପାରେ । ବାତ୍ୟା "ବୁଲ୍ବୁଲ୍' ସ୍ଥଳ ଭାଗକୁ ଛୁଇଁବା ପରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ତାଙ୍କ କହିବାନୁଯାୟୀ, ବର୍ତ୍ତମାନ ରାଜ୍ୟକୁ "ବୁଲ୍ବୁଲ୍' ପ୍ରଭାବିତ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ବହୁଛି । ଏହା ସୋମବାର ଯାଏ ରହିବ । ୧୨ ତାରିଖରୁ ଉତ୍ତରା ଥଣ୍ଡା ପବନ ବହିବା ଆରମ୍ଭ କରିବ । ଥଣ୍ଡା ବି ବଢ଼ିବ । ଉତ୍ତର ଓଡ଼ିଶା ଓ ଉପକୂଳ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ପର୍ଯ୍ୟନ୍ତ କମିଯାଇପାରେ । ପରବର୍ତ୍ତୀ ଦୁଇ ଦିନ ମଧ୍ୟ ପାଗ ଅପରିବର୍ତ୍ତିତ ରହିବ । ହେଲେ ୧୫ରୁ ପାଗରେ ପରିବର୍ତ୍ତନ ସୂଚନା ମିଳୁଛି । ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି ଯେ ଏବେ ପ୍ରଶାନ୍ତ ମହାସଗରୀୟ ପୂର୍ବା ପବନ ପୂର୍ବ ବଙ୍ଗୋପସାଗରକୁ ବହୁଛି । ଆଜି ଏହା ଦକ୍ଷିଣ ବଙ୍ଗୋପସାଗର ଆଡ଼କୁ ପ୍ରବାହିତ ହେଉଛି । ସୋମବାର ସକାଳ ସୁଦ୍ଧା "ନାକରି' ବାତ୍ୟା ଭିଏତନାମରେ ସ୍ଥଳଭାଗ ଛୁଇଁ ସାରିଥିବ । ଏଥିସହ ଫିଲିଫାଇନ୍ସ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା "ହେଲଙ୍ଗ' ଇତିମଧ୍ୟରେ ବିଲୀନ ହୋଇଯାଇଛି । ତେଣୁ ପ୍ରଶାନ୍ତ ମହାସାଗରୀୟ ପୂର୍ବା ପବନ ଭିଏତନାମ ଦେଇ ବଙ୍ଗୋପସାଗରକୁ ଅଧିକ ବହିବ ଓ ଶକ୍ତିଶାଳୀ ହେବ । ଏହା କ୍ରମଶଃ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଆଡ଼କୁ ଅଗ୍ରସର ହେବ । ଫଳରେ ୧୫ ତାରିଖଠାରୁ ରାଜ୍ୟରେ ପୂର୍ବା ପବନ ବହିବ ଏବଂ ଉତ୍ତରା ପବନ ଅପସାରିତ ହୋଇଯିବ । ତେଣୁ ରାତିର ତାପମାତ୍ରା ବଢ଼ିବ । ଆଉ ଥଣ୍ଡା କମିବ । ଏଥିସହ ଓଡ଼ିଶା ଉପକୂଳରେ ଏକ ପୂର୍ବ ତରଙ୍ଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ହିଁ ଉପକୂଳରେ ପାଗ ପରିବର୍ତ୍ତନ ଆଣିବ । ଅନୁମାନ କରାଯାଉଛି ଯେ ୧୬ରୁ ୧୮ ଯାଏ ଖୋର୍ଦ୍ଧାରୁ ଦକ୍ଷିଣ ଉପକୂଳ ଅଞ୍ଚଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବ । ହାଲକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଯଦି ପୂର୍ବ ତରଙ୍ଗ ଅଧିକ ସଙ୍ଗଠିତ ହୁଏ ତେବେ ବର୍ଷାର ପରିମାଣ ବୃଦ୍ଧିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବାତ୍ୟା "ବୁଲ୍ବୁଲ୍' ଯିବା ପରେ ଗତକାଲିଠାରୁ ରାଜ୍ୟରେ ଥଣ୍ଡା ପଡ଼ିଛି । ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ୩ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଆସିଛି । ଗତକାଲି ଦାରିଙ୍ଗବାଡ଼ିରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ତାପମାତ୍ରା ୧୪ ଡିଗ୍ରିକୁ ଖସି ଆସିଥିବା ବେଳେ କୋରାପୁଟର ତାପମାତ୍ରା ୧୪.୬ ଡିଗ୍ରିକୁ ହ୍ରାସ ପାଇଛି । ଏଥିସହ ଅନୁଗୁଳ ଓ ଟିଟିଲାଗଡ଼ରେ ୧୭ ଡିଗ୍ରି ଥିବା ବେଳେ ସୋନପୁରରେ ୧୭.୬, ଫୁଲବାଣୀରେ ୧୮.୮, କେନ୍ଦୁଝରରେ ୧୯, ଭବାନୀପାଟଣାରେ ୧୯.୩, ସମ୍ବଲପୁରରେ ୧୯.୫, ଝାରସୁଗୁଡ଼ାରେ ୧୯.୬ ଡିଗ୍ରି ରେକର୍ଡ ହୋଇଛି । ଆଜି ଦିନ ସାରା ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇନାହିଁ । ଉତ୍ତର ଓଡ଼ିଶାରେ ପାଗ କୋହଲା ରହିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।