୨୪ରୁ ବର୍ଷା ବଢ଼ିବ

୨୪ରୁ ବର୍ଷା ବଢ଼ିବ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଉନଥିବାରୁ ରାଜ୍ୟରେ ଭଲ ବର୍ଷା ହେଉନି । ମୌସୁମୀ ଟ୍ରପଲାଇନ ପ୍ରଭାବରେ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେଉଛି । ହେଲେ ବଡ଼ ବର୍ଷା ହେଉନି । ଯେବେ ଲଘୁଚାପ ସୃଷ୍ଟି ହେବ ଏବଂ ସ୍ଥଳ ଭାଗ ଉପରେ ୨୪ ଘଣ୍ଟା ରହିବ, ସେତେବେଳେ ହିଁ ଓଡ଼ିଶାରେ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏସବୁ ସତ୍ତ୍ୱେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବାରୁ ଆସନ୍ତା ୨୪ ତାରିଖରୁ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୨୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେ଼ଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ୨୨ ରେ ବର୍ଷା ସମ୍ଭାବନା ନାହିଁ । ୨୩ ତାରିଖ ବେଳକୁ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, ଖୋର୍ଦ୍ଧା କେନ୍ଦୁଝର, ମୟୂରଭଞ୍ଜ ଢେ଼ଙ୍କାନାଳରେ କାଳବୈଶାଖୀ ବର୍ଷା ହୋଇପାରେ । ହେଲେ ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ୨୪ରେ କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର, ରାୟଗଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଗଞ୍ଜାମ, ଜିଲ୍ଲାରେ ବର୍ଷା ହେବ । ଏହା ପରଠାରୁ ରାଜ୍ୟର ସମସ୍ତ ସ୍ଥାନରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି କୋରାପୁଟରେ ସର୍ବାଧିକ ୧୭.୮ ମି.ମି ବର୍ଷା ହୋଇଥିବା ବେଳେ ବାରିପଦାରେ ୮.୬ ମିମି, ଅନୁଗୁଳରେ ୮ ମିମି, ମାଲକାନଗିରିରେ ୫.୮ ମିମି, ହୀରାକୁଦରେ ୨.୨ ମିମି, ବଲାଙ୍ଗୀରରେ ୨ ମିମି ବର୍ଷା ହୋଇଛି ।