ଶ୍ରୀମନ୍ଦିର ଶୃଙ୍ଖଳା ଚିନ୍ତା
ଶ୍ରୀମନ୍ଦିର ଶୃଙ୍ଖଳା ଚିନ୍ତା
admin
Jul 21, 2019 - 06:27
Updated: Jul 21, 2019 - 06:27
ପୁରୀ : ଶ୍ରୀମନ୍ଦିରରେ କ’ଣ କଲେ ଶୃଙ୍ଖଳା ଆସିବା ଭକ୍ତମାନେ କେମିତି ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ । ଖାଲି ଭକ୍ତଙ୍କ ଶୃଙ୍ଖଳା କଥା ନୁହେଁ, ସେବାୟତମାନେ ବି କିପରି ଶୃଙ୍ଖଳିତ ହୋଇପାରିବେ । ଏମିତି ଅନେକ କିଛି ଯୋଜନା ନେଇ ସ୍ୱର୍ଣ୍ଣମନ୍ଦିର (ଗୋଲଡେନ ଟେମ୍ପଲ)ର ବ୍ୟବସ୍ଥା ପରଖିବା ପାଇଁ ଆଜି ରାତିରେ ପଞ୍ଜାବର ଅମୃତସର ଗସ୍ତ କରିଛନ୍ତି ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ଓ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ । ଦୁଇଦିନିଆ ଗସ୍ତ ଅବସରରେ ଜିଲ୍ଲାପାଳ ଓ ଏସ୍ ପି ସ୍ୱର୍ଣ୍ଣମନ୍ଦିରର ପୂଜାବିଧି ସହ ଦର୍ଶନ ବ୍ୟବସ୍ଥା କଥା ଟିକିନିଖି ପରଖିବେ । ସେଠାରେ ଶୃଙ୍ଖଳା ବ୍ୟବସ୍ଥା କଣ ରହିଛି ତାର ବି ଅନୁଧ୍ୟାନ କରିବେ । ଏହି ଅବସରରେ ମନ୍ଦିର କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ସହ ସେମାନଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି । ବିସ୍ତୃତ ଅନୁଧ୍ୟାନ ପରେ ଜିଲ୍ଲାପାଳ ଓ ଏସ୍ପି ପୁରୀ ଶ୍ରୀମନ୍ଦିରରେ କି ପ୍ରକାର ବ୍ୟବସ୍ଥା ଲାଗୁ ହୋଇପାରିବ ସେ ସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି ।
ଏଣେ ପୁରୀରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସୂଚନା ଯୋଗ୍ୟ, ଏହା ମଧ୍ୟରେ ପୁରୀର କିଛି ପୁରୁଣା ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ଭୁବନେଶ୍ୱରଠାରେ ଏକ ବୈଠକରେ ଏକାଠି ହୋଇଥିଲେ । ଯେଉଁଥିରେ ପୁରୀର ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୂର୍ବତନ ଏସପି ଆଶିଷ ସିଂଙ୍କ ସହ ଏବର ଜିଲ୍ଲାପାଳ ଶ୍ରୀ ସିଂ ଓ ଏସ୍ପି ଶ୍ରୀ ଦାଶ ଉପସ୍ଥିତ ଥିଲେ । ଏହି ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ବେଳେ ଅମୃତସର ପରିଦର୍ଶନ ବି ଏହି ଆଲୋଚନା ପରିସରଭୁକ୍ତ ରହିଥିଲା ।