୨୭ ଯାଏଁ କାଳିଆ ଯାଞ୍ଚ ଅବଧି ବଢିଲା
୨୭ ଯାଏଁ କାଳିଆ ଯାଞ୍ଚ ଅବଧି ବଢିଲା
admin
Aug 13, 2019 - 08:42
Updated: Aug 13, 2019 - 08:42
ଭୁବନେଶ୍ୱର: ବଢିଲା କାଳିଆ ଯାଞ୍ଚ ଅବଧି । କାଳିଆ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତାକାଲି ଯାଞ୍ଚର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୨୭ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । କାଳିଆ ଯୋଜନାର ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷଙ୍କ ଯାଞ୍ଚ କରାଯାଇଛି । ୨୭ରେ ପଞ୍ଚାୟତ, ୨୯ରେ ବ୍ଲକ ଓ ୩୧ରେ ଜିଲ୍ଲାସ୍ତରରେ ଯାଞ୍ଚ କରାଯିବ । ଅଯୋଗ୍ୟ ହିତାଧିକାରୀମାନେ ପରବର୍ତ୍ତୀ କାଳିଆ କିସ୍ତି ପାଇବେନି ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଟଙ୍କା ଲୋଭରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସତର୍କ ଘଣ୍ଟି । ନିଜକୁ ଚାଷୀ କହି ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଏବେ ସାବଧାନ ହେବାକୁ ପଡ଼ିବ । କାରଣ ସେମାନଙ୍କୁ ଉକ୍ତ ଯୋଜନାରୁ ବାଦ ଦିଆଯିବ । ନିଜ ଆଡ଼ୁ ସେମାନେ ଏନେଇ ଦରଖାସ୍ତ ଦେଇ ଯୋଜନାରୁ ଓହରିପାରିବେ । ଏମିିତି ନକଲେ ସରକାରଙ୍କ ତରଫରୁ ସେମାନଙ୍କୁ ଚିହ୍ନଟ କରି ବାଦ ଦିଆଯିବ । ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ ବୋଲି ଗତ ୬ ତାରିଖ ଦିନ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଥିଲେ ।
ସେ କହିଥିଲେ ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଛି । ଯେଉଁମାନେ ଯୋଗ୍ୟ ନୁହନ୍ତି, ସେମାନେ ନିଜ ଆଡ଼ୁ କହିପାରିବେ । ଦରଖାସ୍ତ ଦେଇ ନିଜକୁ କାଳିଆ ଯୋଜନାରୁ ବାଦ ଦେବାକୁ ହିତାଧିକାରୀ କହିପାରିବେ । ଏଯାବତ ଆମ ପାଖରେ ୧ କୋଟି ଦରଖାସ୍ତ ପଡ଼ିଛି । ଅଯୋଗ୍ୟଙ୍କୁ ବାଦ ଦେବା ଓ ଯୋଗ୍ୟଙ୍କୁ ଯୋଜନାରେ ସାମିଲ କରିବା ଆମର ଲକ୍ଷ୍ୟ । ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବାକୁ କମିଟି ଗଠନ କରାଯାଇଛି । ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି । ୫୧ ଲକ୍ଷ କାଳିଆ ହିତାଧିକାରୀଙ୍କ ନାମ ୱେବସାଇଟରେ ଦିଆଯାଇଛି । ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଅଛନ୍ତି । ସବୁ ପଞ୍ଚାୟତରେ ବି ହିତାଧିକାରୀ ତାଲିକା ଟଙ୍ଗା ଯାଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଥିବା କୃଷି ସଚିବ ସୌରଭ ଗର୍ଗ କହିଥିଲେ ।
ଉଲ୍ଲେଖ ଥାଉ କି, କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଜୁଲାଇ ୨୮ ତାରିଖରେ ଖୋଦ୍ ବିଜେଡି ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି । କେଁଉଠି ନା କେଉଁଠି ହିତାଧିକାରୀ ଚିହ୍ନଟ କରିବାରେ ତ୍ରୁଟି ରହୁଛି ବୋଲି ବିଧାନସଭାରେ ସଦସ୍ୟମାନେ କହିଥିଲେ ।