୩୩ଥର ହାରି ମଧ୍ୟ ପୁଣି ନର୍ବାଚନ ଲଢ଼ୁଛନ୍ତି ଶ୍ୟାମବାବୁ
୩୩ଥର ହାରି ମଧ୍ୟ ପୁଣି ନର୍ବାଚନ ଲଢ଼ୁଛନ୍ତି ଶ୍ୟାମବାବୁ
admin
Apr 8, 2019 - 09:43
Updated: Apr 8, 2019 - 09:43
ବ୍ରହ୍ମପୁର: ପେଶାରେ ଜଣେ ହୋମିଓପାଥି ଡାକ୍ତର ହେଉଛନ୍ତି ଶ୍ୟାମବାବୁ ସୁବୁଦ୍ଧି । ନିର୍ବାଚନ ଲଢ଼ିବା ତାଙ୍କର ଏକ ପ୍ରକାର ନିଶା । ୧୯୬୨ରୁ ଏଯାବତ ୩୨ଟି ନିର୍ବାଚନରେ ପ୍ରାର୍ଥୀ ହୋଇ ସାରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ସେ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ି ସାରିଛନ୍ତି । ଥରେ ବି ବିଜୟ ତାଙ୍କ ପାଖ ମାଡିନି ତଥାପି ନିରାଶ ହୋଇନାହାନ୍ତି ଶ୍ୟାମବାବୁ । ପୁଣିଥରେ ଚଳିତ ଲୋକସଭା ନିର୍ବାଚନରେ ଉଭୟ ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଖାଲି ଏତିକି ନୁହେଁ ଜୁନ୍ରେ ହେବାକୁ ଥିବା ଓଡିଶାର ୩ଟି ରାଜ୍ୟସଭା ଆସନ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦିତା କରିବେ ବୋଲି ପ୍ରକାଶ କରିଛନ୍ତି ।
ବାରମ୍ବାର ପରାଜୟ ତାଙ୍କୁ ନିଜର ଏହି ଇଚ୍ଛାରୁ ଦୂରେଇ ପାରିନି । ବରଂ ତାଙ୍କୁ ଆଣିଦେଇଛି କିଛିଟା ଖ୍ୟାତି । ପ୍ରତିଥର ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଅନେକ ଦଳ ତାଙ୍କୁ ପାର୍ଟି ଟିକେଟ ଲଢ଼ିବାକୁ ପ୍ରସ୍ତାବ ଦେଇଛନ୍ତି, ହେଲେ ତାହାକୁ ସେ ଗ୍ରହଣ କରି ନାହାନ୍ତି । କାରଣ ସେ କହିଛନ୍ତି ନିର୍ବାଚନରେ ମୁଁ ଲଢେ଼ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧ କରିବାକୁ । ନିର୍ବାଚନକୁ ନିଜ ଜୀବନ କାଳରେ ଅନେକ ଥର ଅତି ନିକଟରୁ ଦେଖି ଆସିଥିବା ଶ୍ୟାମବାବୁ ସୁବୁଦ୍ଧି କିନ୍ତୁ ସାଂପ୍ରତିକ ରାଜନୀତିକୁ ନେଇ ଅସନ୍ତୁଷ୍ଟ । କାରଣ ସେ କହନ୍ତି ବର୍ତମାନ ମତଦାନ ପକ୍ରିୟାରେ ଯେପରି ବହୁଳ ଅର୍ଥ ଖର୍ଚ୍ଚ କରାଯାଉଛି ତାହା ଠିକ୍ ନୁହେଁ । ରାଜନୀତିରେ ଆଦର୍ଶ ବୋଲି କିଛି ନାହିଁ ।
ଏଯାବତ ସେ ବ୍ରହ୍ମପୁର ଓ ଆସ୍କା ସାଂସଦୀୟ କ୍ଷେତ୍ରରୁ ୯ଥର ଲେଖାଏ ଲଢ଼ି ସାରିଛନ୍ତି । ଏଥିସହ ବିଧାୟକ ପ୍ରାର୍ଥୀ ଭାବେ ହିଞ୍ଜିଳିକାଟରୁ ୫ଥର ତକ୍ରାଳୀନ କ୍ୟାବିନେଟ ମନ୍ତ୍ରୀ ବୃନ୍ଦାବନ ନାୟକଙ୍କ ବିରୋଧରେ ଲଢ଼ିଛନ୍ତି । ବ୍ରହ୍ମପୁର ଓ କବିସୂର୍ଯ୍ୟନଗର ବିଧାନସଭା ଆସନରେ ମଧ୍ୟ ୨ଥର ସେ ପ୍ରାର୍ଥୀ ହୋଇଛନ୍ତି । ଏକଦା ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରତ୍ୟକ୍ଷ ପଦଦ୍ଧି ବଦଳରରେ ପରୋକ୍ଷ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଣୁ ସେ ରାଜ୍ୟର ଯେଉଁଠି ମଧ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେଲେ ତାଙ୍କ ବିରୋଧରେ ମୁକାବିଲା କରି ଏହି ତଥ୍ୟ ଲୋକ ଲୋଚନକୁ ଆଣିବାକୁ ନିଷ୍ପତି ନେଇଥିଲେ ଶ୍ୟାମବାବୁ ସୁବୁଦ୍ଧି । ଆଉ ସେଥିପାଇଁ ଥରେ ବେଗୁନିଆ ଆସନରୁ ମଧ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ପ୍ରାଥୀ ହୋଇଥିଲେ । ଏଥର ଶ୍ୟାମବାବୁ ସୁବୁଦ୍ଧିଙ୍କ ଚିହ୍ନ ରହିଛି ବ୍ୟାଟ । ଏପରିକି ସେ ତାହା ଉପରେ ସାଂସଦ ବଦଳରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଲେଖିଛନ୍ତି । ଏହା ତାଙ୍କ ଉର୍ଚ୍ଚ ଅଭିଳାଷର ପ୍ରତୀକ ବୋଲି କୁହାଯାଏ । ଏକାକୀ ବା ହାତଗଣତି ଲୋକଙ୍କ ସହ ସେ ବ୍ରହ୍ମପୁରରେ ଘରକୁ ଘର ବୁଲି ଟ୍ରେନ୍ ବସ୍ ବଜାରରେ ପ୍ରଚାର କରୁଛନ୍ତି । ବିଜୟ ବା ପରାଜୟ ତାଙ୍କ ପାଇଁ କୌଣସି ମହତ୍ୱ ରଖେନି । କେବଳ ନିର୍ବାଚନ ମଇଦାନରେ ଓହ୍ଲାଇବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।