୫ଟିର ପ୍ରଭାବ, ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କ ପଦୋନ୍ନତି

୫ଟିର ପ୍ରଭାବ, ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କ ପଦୋନ୍ନତି

୫ଟିର ପ୍ରଭାବ, ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କ ପଦୋନ୍ନତି
ଭୁବନେଶ୍ୱର: ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ଗ୍ରୁପ ଏ ଠାରୁ ଆରମ୍ଭ କରି ଗ୍ରୁପ୍-ଡି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି । ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା ଏକ ରେକର୍ଡ । ସୂଚନାଯୋଗ୍ୟ ଯେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀ ମାନଙ୍କ ପଦୋନ୍ନତି କ୍ଷେତ୍ରରେ ହୋଇଥିବା ଅହେତୁକ ବିଳମ୍ବ ଓ ଅଯଥା ହଇରାଣ ହରକତ ଘଟଣାରେ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୩୧ ତାରିଖ ସୁଦ୍ଧା ସବୁ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେବା ପାଇଁ ଡିସେମ୍ବର ୨୧ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ବିଭିନ୍ନ ବିଭାଗରୁ ମିଳିଥିବା ଖବରରୁ ଜଣାଯାଇଛି ଯେ ଡିସେମ୍ବର ୨୪ ରୁ ୩୧ ତାରିଖ ସୁଦ୍ଧା ଗ୍ରୁପ-ଏ ରେ ୮୫୨ ଜଣ ପଦୋନ୍ନତି ଦିଆଯାଇଥିବା ବେଳେ ଗ୍ରୁପ-ବି ରେ ୫୨୭ ଜଣଙ୍କୁ, ଗ୍ରୁପ୍-ସି ରେ ୧୪୯୬ ଜଣଙ୍କୁ ଏବଂ ଗ୍ରୁପ-ଡିରେ ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି । ଉଲ୍ଲେଖଯୋଗ୍ୟ ୨୦୧୯ ଜାନୁଆରୀରୁ ନଭେମ୍ବର ମଧ୍ୟରେ ବିଭିନ୍ନ ବର୍ଗରେ ୯୭୬୬ ପଦୋନ୍ନତି ପାଇଥିଲେ । ଡିସେମ୍ବର ମାସରେ ପଦୋନ୍ନତି ପାଇଥିବା ୩୧୬୬ ଜଣଙ୍କୁ ମିଶାଇ ୨୦୧୯ ବର୍ଷରେ ବିଭିନ୍ନ ବର୍ଗର ୧୨,୯୩୨ ଜଣ କର୍ମଚାରୀ ପଦୋନ୍ନତି ସୁବିଧା ପାଇପାରିଛନ୍ତି । କେବଳ ଜିଲ୍ଲା ସ୍ତରରେ ଏହି ସମୟ ମଧ୍ୟରେ ୩୧୩୯ ଜଣ ପଦୋନ୍ନତି ପାଇଛନ୍ତି । ବିଭାଗୀୟ ସ୍ତରରେ ସ୍ୱରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦ ଜଣ ପଦୋନ୍ନତି ପାଇଥିବା ବେଳେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ୧୩୦୭ ଜଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦୋନ୍ନତି ପାଇଛନ୍ତି । ସେହିପରି ଜିଲ୍ଲା ସ୍ତରରେ କଟକ ଜିଲ୍ଲାର ସର୍ବାଧିକ ୭୪୮ ଜଣ କର୍ମଚାରୀ ପଦୋନ୍ନତି ପାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ୨୧୮ ଜଣ ଓ ଗଞ୍ଜାମରେ ୧୯୪ ଜଣ ପଦୋନ୍ନତି ପାଇଛନ୍ତି । ରାଜ୍ୟ ସରକାରଙ୍କ ନୂତନ ୫ଟି ନୀତିରେ ସମୟ, ସ୍ୱଚ୍ଛତା, ମିଳିତ ଉଦ୍ୟମ, ବୈଷୟିକ କୌଶଳର ପ୍ରୟୋଗ ଜରିଆରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି । ୫-ଟିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଚାରୀଙ୍କ ପଦୋନ୍ନତିରେ ଅଯଥା ବିଳମ୍ବ ନ କରି ଯଥା ସମୟରେ ପଦୋନ୍ନତି ସେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।