ଫନି ସର୍ଭେ : ପ୍ରତି ଘରକୁ ଜିଓ ଟ୍ୟାଗିଂ

ଫନି ସର୍ଭେ : ପ୍ରତି ଘରକୁ ଜିଓ ଟ୍ୟାଗିଂ

ଭୁବନେଶ୍ୱର : ଫନିରେ କ୍ଷତି ହୋଇଥିବା ଘର ବଦଳରେ ପକ୍କାଘର ଯୋଗାଇ ଦିଆଯିବ । ଆଉ ଜୁନ ପହିଲାରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । କମ ସମୟ ମଧ୍ୟରେ ସର୍ଭେ ଓ କାର୍ଯ୍ୟାଦେଶ ପ୍ରଦାନ କରାଯାଉଥିବାରୁ ଯେମିତି ଅନିୟମିତତା ନହୁଏ ସେଥିପ୍ରତି ପଂଚାୟତିରାଜ ବିଭାଗ ସଜାଗ ହୋଇଯାଇଛି । ଘର ଭଙ୍ଗା ସର୍ଭେ ବେଳେ ପ୍ରତି ଘରକୁ ଜିଓ ଟ୍ୟାଗିଂ କରିବା ପାଇଁ କଡ଼ା ନିଦେ୍ର୍ଧଶ ଦିଆଯାଇଛି । ଜଣେ ବି ଯୋଗ୍ୟ ହିତାଧିକାରୀ ଯେଭଳି ପକ୍କାଘର ଯୋଜନାରୁ ବାଦ ନପଡ଼ନ୍ତି ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି । ଏନେଇ ପଂଚାୟତିରାଜ ବିଭାଗ ସଚିବ ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ଫନି ପ୍ରଭାବିତ ଲୋକଙ୍କର ଯଦି ଘର ଭାଙ୍ଗି ଯାଇଥିବ ସେମାନଙ୍କୁ ପକ୍କା ଘର ପାଇଁ କାର୍ଯ୍ୟାଦେଶ ଦିଆଯିବ । ୧୫ରୁ ରାଜସ୍ୱ ନୀରିକ୍ଷକମାନେ ଘରକୁ ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି । ସର୍ଭେ ବେଳେ ନଷ୍ଟ ହୋଇଥିବା ଘରେ ଜିଓ ଟ୍ୟାଗିଂ କରାଯିବ । ନୂଆ କରି ବିକଶିତ ହୋଇଥିବା ମୋବାଇଲ ଆପ ‘ଆମ ଘର’ ଆପରେ ଏହି ଟ୍ୟାଗିଂର ଫଟୋକୁ ଅପଲୋଡ଼ କରାଯିବ । ପରେ ଗ୍ରାମୀଣ ବାସଗୃହ ଯୋଜନା ପାଇଁ ଥିବା ସରକାରଙ୍କ ୱେବସାଇଟ ଆରଏଚ ଓଡ଼ିଶା ପୋର୍ଟାଲରେ ମେଳ କରାଯିବ । ଫଳରେ ଆଉ କୌଣସି ପ୍ରକାର ଜାଲିଆତି ହୋଇପାରିବ ନାହିଁ । ପ୍ରକୃତ ହିତାଧିକାରୀ ପକ୍କାଘର ଯୋଜନାରେ ସାମିଲ ହୋଇପାରିବେ ବୋଲି ଶ୍ରୀ ସିଂହ ପତ୍ରରେ ଉଲ୍ଳେଖ କରିଛନ୍ତି ।