ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

ଗୁଆହାଟୀ : ଘରୋଇ ଭାରତ ବିପକ୍ଷରେ ଶ୍ରୀଲଙ୍କା ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ। ଏହାର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ନିକଟରେ ସମାପ୍ତ ହୋଇଥିବା ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଶ୍ରୀଲଙ୍କାକୁ ୨-୧ରେ ପରାସ୍ତ କରିଛି ଭାରତ।
ଚଳିତବର୍ଷ ଭାରତରେ ଦିନିକିଆ ବିଶ୍ବକପ୍‌ ଖେଳାଯିବାକୁ ଥିବା ବେଳେ ପ୍ରତ୍ୟେକ ଦିନିକିଆ ମ୍ୟାଚ୍‌ ବିଶ୍ବର ସମସ୍ତ ଦଳଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଦୁଷ୍ମନ୍ତ ଚମିରା ଆହତ ହୋଇଥିବାରୁ ଶ୍ରୀଲଙ୍କାର ପେସ୍‌ ଆକ୍ରମଣ ସେତେ ଶକ୍ତିଶାଳୀ ନୁହେଁ। ତେବେ ସ୍ପିନ୍‌ ବିଭାଗରେ ଏହା ସାମାନ୍ୟ ଉନ୍ନତ। ୱାନିନ୍ଦୁ ହସରଙ୍ଗା ଜଣେ ବିଶ୍ବସ୍ତରୀୟ ଲେଗ୍‌ସ୍ପିନର ହୋଇଥିଲେ ହେଁ ଦିନିକିଆରେ ତାଙ୍କ ପ୍ରଦର୍ଶନ ସେତେ ଭଲ ନୁହେିଁ। ମାହିଶ ତୀକ୍ଷଣଙ୍କ ପ୍ରଦର୍ଶନ ସାମାନ୍ୟ ଉନ୍ନତ। ଟି୨୦ ଶୃଙ୍ଖଳାର ବିଫଳତା ପରେ ଈଶାନ୍ କିଷନ୍‌ଙ୍କ ସ୍ଥାନରେ ଶୁବ୍‌ମାନ ଗିଲ୍‌ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍‌ କରିପାରନ୍ତି। ଗତ ଦେଢ଼ବର୍ଷରେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ସୂର୍ୟ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଦେଖି ତାଙ୍କୁ ଦିନିକିଆ ଏକାଦଶରୁ ବାଦ୍‌ଦେବା ବହୁତ କଷ୍ଟକର ହେବ। ଏପରି ସ୍ଥିତିରେ ଶ୍ରେୟାସ ଆୟର କିମ୍ବା କେ.ଏଲ୍‌. ରାହୁଲଙ୍କୁ ବସିବାକୁ ପଡ଼ିବ। ଉଭୟଙ୍କ ଦିନିକିଆ ଆଭ୍‌ରେଜ୍‌ ୪୦ରୁ ଅଧିକ। ପେସ୍‌ ବୋଲର ଭା‌େ‌ବ ମହମ୍ମଦ ସିରାଜ୍‌ ଓ ମହମ୍ମଦ ସାମି ଖେଳିବା ନିଶ୍ଚିତ। ତେଣୁ ଅର୍ଶଦୀପ ସିଂହ, ଉମ୍ରାନ୍ ମାଲିକ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣେ ଖେଳିବେ। ସେହିପରି ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ଖେଳିବେ। ଟ୍ବେଣ୍ଟି୨୦ରେ ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିବା ଅକ୍ଷର ପଟେଲ ଖେଳିବା ନିଶ୍ଚିତ। ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡର ଓ ସ୍ପିନ୍ ଆକ୍ରମଣକୁ ନେଇ କୌଣସି ପ୍ରଶ୍ନବାଚୀ ନାହିଁ। ହେଲେ ପେସ୍‌ ବୋଲିଂ ବିଭାଗରେ ଏହାକୁ ବହୁତ ଚିନ୍ତା କରିବାକୁ ପଡ଼ିବ। ଟ୍ବେଣ୍ଟି୨୦ ଶୃଙ୍ଖଳରେ ଯେଉଁ ବ୍ୟାଟିଂ ଲାଇନ୍ ଖେଳିଥିଲା; ଶ୍ରୀଲଙ୍କା ଦିନିକିଆରେ ମଧ୍ୟ ସେହି ବ୍ୟାଟିଂ ଲାଇନ୍ ଖେଳାଇବ। କେବଳ ଭାନୁକା ରାଜପକ୍ଷ ଓ ଅଭିକ୍ଷା ଫର୍ଣ୍ଣାଣ୍ଡୋଙ୍କ ମଧ୍ୟରୁ ଜଣେ ଖେଳିବେ। ୨୦୧୫ରୁ ଉଭୟ ଦେଶଙ୍କ ମଧ୍ୟରେ ମୋଟ ୧୫ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଭାରତ ୧୨ଟି ଓ ଶ୍ରୀଲଙ୍କା ୩ଟି ଜିତିଛନ୍ତି।