କାଲି କଟକ ବନ୍ଦ

କାଲି କଟକ ବନ୍ଦ

କାଲି କଟକ ବନ୍ଦ


ଭୁବନେଶ୍ୱର: ପାର୍ବଣରେ ମୂର୍ତ୍ତି ଉଚ୍ଚତାକୁ ନେଇ ସରକାର ଜାରି କରିଥିବା କଟକଣାକୁ ନେଇ ବିବାଦ ଥମୁନି । ସରକାରଙ୍କ ସ୍ପଷ୍ଟୀକରଣ ପୂଜା କମିଟି ଓ ବିଭିନ୍ନ ସଂଗଠନକୁ ସନ୍ତୁଷ୍ଟ କରିପାରିନି । ଗୋଟିଏ ପଟେ ବିଭିନ୍ନ ପୂଜା କମିଟି ଏ ମାମଲାରେ ସରକାରଙ୍କୁ ୧୬ ତାରିଖ ଯାଏ ମହଲତ ଦେଇଛନ୍ତି । ଏହା ଭିତରେ ସରକାର ଗାଇଡଲାଇନରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ପୁନଃ ଦାବି କରାଯାଇଛି । ଅନ୍ୟପକ୍ଷେ ପାର୍ବଣରେ ମୂର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ନିଷ୍ପତ୍ତି ପ୍ରତିବାଦରେ ସୋମବାର ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକ ସହରରେ ବନ୍ଦ ପାଳନ କରାଯିବ ବୋଲି ବିଜେପି ନେତା ସମୀର ଦେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

    ଏହି ଅବସରରେ ସମୀର ଦେ କହିଛନ୍ତି, କଟକ ମୁରବିଙ୍କୁ ସରକାର ଅପମାନିତ କରିଛନ୍ତି ।  ପ୍ରଶାସନ-ସରକାର ମଧ୍ୟରେ ତାଳମେଳ ରହୁନଥିବା କହିବା ସହ ସରକାରଙ୍କ ସହ ପୂଜା କମିଟି ବୈଠକକୁ ନେଇ ସମୀର ଦେ ପ୍ରଶ୍ନ ଉଠାଇଛନ୍ତି ।  ଆଲୋଚନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ କାହିଁକି କଥା ହେଲେନି ବୋଲି ସେ କହିଛନ୍ତି ।  ଯଦି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇନଥିଲା ତେବେ କାହିଁକି ବୈଠକ ଡକାଗଲା । ସେହିପରି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ମଧ୍ୟ ସମୀର ଟାର୍ଗେଟ କରିଛନ୍ତି । ବିବାଦ ସମ୍ପର୍କରେ କ’ଣ ସାଂସଦ ଅବଗତ ନଥିଲେ ? ପ୍ରଥମେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେନି ? ଏବେ କାହିଁକି ଭେଟିବାକୁ କହୁଛନ୍ତି ବୋଲି ସମୀର ଦେ  ପ୍ରଶ୍ନ କରିଛନ୍ତି ।