ଗଳା ବାଟରେ ଚାଲିଛି ଜିମ, ପଡ଼ୁନି କର୍ତୃପକ୍ଷଙ୍କ ନଜର

ଗଳା ବାଟରେ ଚାଲିଛି ଜିମ, ପଡ଼ୁନି କର୍ତୃପକ୍ଷଙ୍କ ନଜର

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ଜିମ, ସିନେମା ହଲ ଆଦି ବନ୍ଦ ରହିଛି । ଇତିମଧ୍ୟରେ ସପିଂ ମଲ ଓ ପାର୍କ ଖୋଲିବାକୁ ଅନୁମତି ଦିଆଯାଇଥିଲେ ବି ଜିମ ଉପରେ କିନ୍ତୁ କଡ଼ା ପ୍ରତିବନ୍ଧକ ଲାଗିଛି । କିନ୍ତୁ ରାଜଧାନୀର କେତେକ ଜିମ ମାଲିକ ଗଳା ବାଟ ଦେଇ ଜିମ ଚଳାଉଥିବା ଦେଖିବାକୁ ମିଳିଛି । ଜିମରେ ପ୍ରତି ଦିନ ଶହ ଶହ ଯୁବକ ଯୁବତୀ ଫିଟନେସ ପାଇଁ ଆସିଥା’ନ୍ତି । ଜିମରେ ବ୍ୟାୟାମ କରିବା ବେଳେ ସେଠାରେ ଥିବା ସମସ୍ତ ସମସ୍ତ ସାମଗ୍ରୀକୁ ସ୍ପର୍ଶ କରିବାକୁ ପଡ଼ିଥାଏ । ସେହିପରି ଏସି ରୁମରେ ଏକାଧିକ ଲୋକ ରହିଲେ କରୋନା ବ୍ୟାପିବାର ବି ଆଶଙ୍କା ରହିଛି । ଯେଉଁଥିପାଇଁ ଏହା ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ରାଜଧାନୀର କେତେକ ଜିମ କିନ୍ତୁ ନିତିଦିନ ଚାଲୁଥିବା ଦେଖିବାକୁ ମିଳିଛି । ଆଗ ସଟର ବନ୍ଦ ଥିଲେବି ଜିମ ଭିତରକୁ ଯିବା ପାଇଁ ଗଳା ବାଟ ବାହାରିଛି । ଅନ୍ୟ ଦରଜା ଦେଇ ଲୋକମାନେ ଯାଇ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ଜିମ ମାଲିକମାନେ ସିନା ଦି ପଇସା କମାଇ ପାରିଛନ୍ତି ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ବାଟ ପ୍ରଶସ୍ତ କରିଦେଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଉପରେ ପୁଲିସ ଓ ପ୍ରଶାସନର ନଜର ପଡ଼ି ପାରୁନାହିଁ । ଏନେଇ ପୁଲିସ ଖୋଳତାଡ଼ କଲେ ରାଜଧାନୀର କେତେ ଜିମ ଗଳା ବାଟ ଦେଇ ଚାଲିଛି ସେ ବିଷୟରେ ଜଣାପଡ଼ନ୍ତା ।