ଜୁଲାଇ ୫ରେ ରାଜ୍ୟ ସଭା ଉପନିର୍ବାଚନ
ଜୁଲାଇ ୫ରେ ରାଜ୍ୟ ସଭା ଉପନିର୍ବାଚନ
admin
Jun 16, 2019 - 06:44
Updated: Jun 16, 2019 - 06:44
ଭୁବନେଶ୍ୱର : ଓଡ଼ିଶାରେ ଖାଲି ହୋଇଥିବା ୪ ରାଜ୍ୟସଭା ଆସନ ମଧ୍ୟରୁ ତିନିଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ନିର୍ବାଚନ କମିଶନ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଅଚୁ୍ୟତ ସାମନ୍ତ ଓ ଅନୁଭବ ମହାନ୍ତି ଲୋକସଭାକୁ ଏବଂ ପ୍ରତାପ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହେଲା ପରେ ଏହି ଚାରିଟି ଆସନ ଖାଲି ପଡ଼ିଥିଲା । ତେବେ ରାଜ୍ୟସଭାର ସଦସ୍ୟ ଥିବା ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚନ ହୋଇଥିଲେ ବି ରାଜ୍ୟସଭାରେ ତାଙ୍କ କାର୍ଯ୍ୟକଳାପ ଅବଧି ଏକବର୍ଷରୁ କମ୍ ଥିବାରୁ ସେହି ଆସନରେ ନିର୍ବାଚନ ହେବ ନାହିଁ ବୋଲି ସୂଚନା ମିଳିଛି ।
ନିର୍ବାଚନ କମିସନଙ୍କ ଘୋଷଣା ଅନୁଯାୟୀ ରାଜ୍ୟସଭା ନିର୍ବାଚନ ପାଇଁ ଜୁନ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ୨୫ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରାର୍ଥୀପତ୍ର ଗୁଡ଼ିକୁ ୨୬ ତାରିଖରେ ଯାଞ୍ଚ କରାଯିବ ଓ ଆଗ୍ରହୀ ପ୍ରାର୍ଥୀ ୨୮ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଯଦି ଅଧିକ ପ୍ରାର୍ଥୀ ହୁଅନ୍ତି ତେବେ ଜୁଲାଇ ୫ ତାରିଖରେ ବିଧାନସଭାରେ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ କରାଯିବ । ଅପରାହ୍ନ ୫ଟାରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ଜୁଲାଇ ୯ ତାରିଖ ସୁଦ୍ଧା ନିର୍ବାଚନ ପ୍ରକି୍ରୟା ଶେଷ ହେବା ଅଚୁ୍ୟତ ସାମନ୍ତ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଜ୍ୟସଭା ସଦସ୍ୟତା ୨୦୨୪ ଏପି୍ରଲ ୩ ତାରିଖ ଯାଏ ଥିଲା । ତେଣୁ ଏହି ଦୁଇଟି ଆସନ ପାଇଁ ଯିଏ ପ୍ରାର୍ଥୀ ହେବେ ତାଙ୍କ କାର୍ଯ୍ୟକାଳ ୨୦୨୪ ଏପି୍ରଲ ୩ ତାରିଖ ଯାଏ ରହିବ । ସେହିପରି ପ୍ରତାପ ଦେବଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ତାରିଖ ଯାଏ ଥିଲା । ଏହି ଆସନରେ ଯିଏ ପ୍ରାର୍ଥୀ ହେବେ, ତାଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ତାରିଖ ଯାଏ ରହିବ ।
କେନ୍ଦ୍ରାପଡାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ସଦସ୍ୟତା ୨୦୨୦ ଏପି୍ରଲ ୨ ତାରିଖ ଯାଏ ଥିଲା । ତେଣୁ ଏକ ବର୍ଷରୁ କମ ସମୟ ଥିବାରୁ ସେଠାରେ ନିର୍ବାଚନ ହେବ ନାହିଁ ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଓଡ଼ିଶାର ତିନିଟି ଆସନ ସହ ଗୁଜୁରାଟର ଦୁଇଟି ଓ ବିହାରର ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ଗୁଜରାଟରୁ ରାଜ୍ୟସଭା ସଦସ୍ୟ ଥିବା ଅମିତ ଶାହ ଓ ସ୍ମୃତି ଇରାନୀ ଏଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ବିହାରରୁ ରାଜ୍ୟସଭା ସଦସ୍ୟ ଥିବା ରବି ଶଙ୍କର ପ୍ରସାଦ ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେହି ଆସନ ଖାଲି ରହିଛି ।