ସ୍ୱତନ୍ତ୍ର ରାଜ୍ୟ ପାହ୍ୟା : ଓଡ଼ିଶାକୁ ଜେଡ଼ିୟୂର ସମର୍ଥନ
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା : ଓଡ଼ିଶାକୁ ଜେଡ଼ିୟୂର ସମର୍ଥନ
admin
May 14, 2019 - 12:40
Updated: May 14, 2019 - 12:40
ଭୁବନେଶ୍ୱର : ନବୀନବାବୁ ଆମ ପରିବାର ସଦସ୍ୟ । ବିଜୁବାବୁ ଆମର ନେତା ଥିଲେ । ଆମେ ସମସ୍ତେ ଗୋଟିଏ ପରିବାରର । ଏମିତି ଟିପ୍ପଣୀ ଦେଇଛନ୍ତି ଜେଡ଼ିୟୂ ନେତା କେସି ତ୍ୟାଗୀ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ଓଡ଼ିଶାକୁ ସମର୍ଥନ କରିଛି ବିହାର ।
ଏନେଇ ଶ୍ରୀ ତ୍ୟାଗୀ କହିଛନ୍ତିଯେ, ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଆସୁଛି । ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦାବି କରି ଆସୁଛନ୍ତି । ଏହି ଦାବିକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଜେଡ଼ିୟୂ ସମର୍ଥନ କରୁଛି । ଏହା ସହ ବିହାର ଓ ଆନ୍ଧ୍ରପ୍ରଦେଶକୁ ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବା କଥା । ଏନେଇ ୱାଇଏଆର କଂଗ୍ରେସ ନେତା ଜଗନମୋହନ ରେଡ଼ୀ, ଜେଡ଼ିୟୂ ନେତା ନୀତିଶ କୁମାର ଓ ବିଜେଡ଼ି ନେତା ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି । ଖୁବଶୀଘ୍ର ତିନି ରାଜ୍ୟର ନେତାମାନେ ବୈଠକ କରି କେନ୍ଦ୍ର ନିକଟରେ ଦୃଢ଼ ଦାବି କରିବେ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟଯେ, ପ୍ରତିବର୍ଷ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଓଡ଼ିଶାର ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହୋଇଆସୁଛି । ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାର ଦାବି କରି ଆସୁଛନ୍ତି । କିନ୍ତୁ ନୂତନ ନିୟମ ଅନୁସାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ଉଠି ଯାଇଛି । ତେବେ ଆନ୍ଧ୍ର, ବିହାର ଓ ଓଡ଼ିଶା ମିଳିତ ଭାବେ ଦାବି କରିବାକୁ ଯାଉଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋରଧରିଛି ।