ଘାସରେ ଚାଲନ୍ତୁ

ଘାସରେ ଚାଲନ୍ତୁ

ଘାସରେ ଚାଲନ୍ତୁ
ସକାଳୁ ଚାଲିବା ଦେହ ପାଇଁ ଖୁବ ହିତକର । ଏହି କାରଣରୁ ଡାକ୍ତରମାନେ ସକାଳୁଆ ଚାଲିବା ବା ମର୍ଣ୍ଣିଂୱାକ କରିବାକୁ ପରାମର୍ଶ ଦେଇଥାନ୍ତି । ସକାଳୁ ସତେଜ ପବନ ଭିତରେ ସବୁଜ ଘାସ ଉପରେ ଚାଲିବା ଏକାଧିକ ରୋଗର ଉପଶମ କରିପାରେ । ବିଶେଷକରି ଘାସ ଉପରେ ଖାଲି ପାଦରେ ଚାଲିବା ଆହୁରି ଭଲ । ଏହାକୁ ଗ୍ରୀନ ଥେରାପି ବୋଲି କୁହାଯାଉଛି । -ଯେତେ ଅଧିକ ସମୟ ସବୁଜିମା ମଧ୍ୟରେ ରହିବେ ଏବଂ ସବୁଜ ଘାସ ଉପରେ ଚାଲିବେ ସେତେ ସୁସ୍ଥ ଓ ଟେନସନମୁକ୍ତ ରହିପାରିବେ । ସବୁଜ ପରିବେଶ ମଣିଷ ମଧ୍ୟରେ ସୁରକ୍ଷା ଭାବନା ବଢାଏ । ଏହି ଗ୍ରୀନ ଥେରାପି ମସ୍ତିଷ୍କର କାର୍ଯ୍ୟଦକ୍ଷତା ବଢାଇବା ସହ ମାଂସପେଶୀଗୁଡିକୁ ଆରାମ ଦେଇ ଅଧିକ ସକ୍ରିୟ କରାଏ । - ମଧୁମେହରେ ଆକ୍ରାନ୍ତ ରୋଗୀମାନେ ସବୁଜିମା ମଧ୍ୟରେ ବସିବା ଏହାକୁ ଦେଖିବା ତଥା ଏଭଳି ପରିବେଶରେ ଚାଲବୁଲ କରିବା ଖୁବ ଉପକାରୀ । କେତେକ ମଧୁମେହ ରୋଗୀଙ୍କ କ୍ଷେତ୍ରରେ କୌଣସି କ୍ଷତ ହେଲେ ଏହା ଭଲହେବା କଷ୍ଟକର ହୋଇଯାଏ । ଏମାନେ ଯଦି ନିୟମିତ ସବୁଜ ପରିବେଶ ଭିତରେ ରହି ଲମ୍ବା ଶ୍ୱାସ ଗ୍ରହଣ କରି ଚାଲବୁଲ କରନ୍ତି, ଶରୀରକୁ ଅଧିକ ଅମ୍ଳଜାନ ମିଳେ ଏବଂ କ୍ଷତ ଶୀଘ୍ର ଭଲ ହୋଇପାରେ । - ସବୁଜ ଘାସ ଉପରେ ଖାଲିପାଦରେ ଚାଲିବା କିମ୍ବା ବସିବା ଗ୍ରୀନ ଥେରାପିର ମୁଖ୍ୟ କାର୍ଯ୍ୟ ହୋଇଥିବାରୁ ସକାଳୁ କାକର ଭିଜା ଘାସରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହାଦ୍ୱାରା ପାଦତଳେ ଥିବା କୋମଳ କୋଷ ସହ ଜଡିତ ସ୍ନାୟୁତନ୍ତ୍ର ଦ୍ୱାରା ମସ୍ତିଷ୍କର ଉପକାର ହୋଇଥାଏ । ଘାସ ଉପରେ କିଛି ସମୟ ବସିଗଲେ ଟେନସନ , ଆଲର୍ଜି ଏବଂ ଛିଙ୍କ ଦୂର ହୁଏ । -ସକାଳୁ ସକାଳୁ କାକର ଭିଜା ଘାସରେ ଚାଲିଲେ ଦୃଷ୍ଟିଶକ୍ତି ବଢେ । ଏପରିକି ଚଷମା ଲଗାଉଥିଲେ ଏପରି ଚାଲିବା ଦ୍ୱାରା ଏଥିରୁ ମୁକ୍ତି ପାଇପାରନ୍ତି ନଚେତ ଚଷମାର ନମ୍ବର କମିଯାଇପାରେ । - ପଦୂଷିତ ବାୟୁରେ କାମ କରୁଥିବା ଲୋକେ ଗ୍ରୀନ ଥେରାପିର ସାହାରା ନେଲେ ତଥା ନିଜ କର୍ମକ୍ଷେତ୍ର ପାଖରେ ସବୁଜ ପରିବେଶ ସୃଷ୍ଟି କଲେ ଶ୍ୱାସରୋଗ ହେବା , ମସ୍ତିଷ୍କ ଉପରେ ପ୍ରଭାବ ପଡିବା ପରି ସମସ୍ୟାରୁ ମୁକ୍ତି ପାଇପାରନ୍ତି । ଗ୍ରୀନ ଥେରାପି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ସହ ଶରୀରରେ ଶକ୍ତି ସଂଚାର କରେ ।