ବରବେଶରେ ଆସି ନାମାଙ୍କନ ଭରିଲେ ଲୋକସଭା ପ୍ରାର୍ଥୀ

ବରବେଶରେ ଆସି ନାମାଙ୍କନ ଭରିଲେ ଲୋକସଭା ପ୍ରାର୍ଥୀ

 ବରବେଶରେ ଆସି ନାମାଙ୍କନ ଭରିଲେ ଲୋକସଭା ପ୍ରାର୍ଥୀ
ଶାହଜହାନ୍‌ପୁର: ଲୋକସଭା ନିର୍ବାଚନରେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ନିକଟତର ହେବା ପାଇଁ ଆଶାୟୀ ପ୍ରାର୍ଥୀମାନେ ଏବେ ନୂଆ ନୂଆ ଉପାୟ ଅବଲମ୍ୱନ କରୁଛନ୍ତି। ଉତ୍ତର ପ୍ରଦେଶର ଶାହଜହାନ୍‌ପୁରରେ ‌ଲୋକସଭା ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ଏକ ଅଭିନବ ଉପ‌ରେ ଭୋଟ୍‌ ହାତେଇବା ପାଇଁ ଉଦ୍ୟମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଶାହଜହାନ୍‌ପୁର ଆସନରୁ ନିର୍ବାଚନ ଲଢ଼ୁଥିବା ସଂଯୁକ୍ତ ବିକାଶ ପାର୍ଟିର ପ୍ରାର୍ଥୀ ବୈଦ୍ୟରାଜ କିଶନ୍‌ ବରବେଶରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଘୋଡ଼ା ପିଠିରେ ବସି ବରବେଶରେ ନିଜକୁ ସଜେଇ ହୋଇ ପ୍ରାର୍ଥୀ ଜଣକ ନିଜ ବାରାତ୍ (ଦଳୀୟ କର୍ମୀ) ସହ ବିଭିନ୍ନ ଅଞ୍ଚଳ ବୁଲି ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ବୈଦ୍ୟରାଜ୍‌ କିଶନ୍‌ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ନିଜକୁ ବରବେଶରେ ସଜାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ବରବେଶରେ ଯାଇ ନାମାଙ୍କନ ଭରିଥିଲେ। ସାଙ୍ଗରେ ସମର୍ଥକମାନେ ନାଚିନାଚି ଆସିଥିଲେ। କିନ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ବାରାତ୍‌କୁ ରୋକିଦିଆଯାଇଥିଲା। ଏହାପରେ ବୈଦ୍ୟରାଜ ଚାଲି ଚାଲି କାର୍ଯ୍ୟାଳୟକୁ ଆସିଥିଲେ। ଏ ନେଇ ସାମ୍ୱାଦିକଙ୍କୁ ସୂଚନା ଦେଇ ସେ କହିଥିଲେ, ରାଜନୀତିର ସେ ହେଉଛନ୍ତି ଜ୍ୱାଇଁ ଏବଂ ତାଙ୍କ କନ୍ୟା ଭୋଟ ଫଳ ପ୍ରକାଶ ପାଇବା ଦିନ ଆସିବ। ଉଲ୍ଲେଖଯୋଗ୍ୟ, ବୈଦ୍ୟରାଜ ଏହା ପୂର୍ବରୁ ଅନେକ ନିର୍ବାଚନ ଲଢ଼ିଛନ୍ତି। ପ୍ରଥମେ ସେ ୱାର୍ଡମେମ୍ୱର ନିର୍ବାଚନ ଲଢ଼ିଥିଲେ। ସେ ତିନିଥର ଲୋକସଭା ନିର୍ବାଚନ ଲଢ଼ିଛନ୍ତି। ଏଥର ଲୋକସଭା ନିର୍ବାଚନ ଲଢ଼ୁଥିବା ବୈଦ୍ୟରାଜ ବରବେଶ‌େର ରୋଡ୍‌ ସୋ’ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।