ଦକ୍ଷିଣ ଚୀନ ସାଗରରେ ଭାରତର ଯୁଦ୍ଧ ଜାହାଜ

ଦକ୍ଷିଣ ଚୀନ ସାଗରରେ ଭାରତର ଯୁଦ୍ଧ ଜାହାଜ

ଦକ୍ଷିଣ ଚୀନ ସାଗରରେ ଭାରତର ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷ ପରେ ଭାରତ ଏବେ ଚୀନ ସଂକ୍ରାନ୍ତ ସାମରିକ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛି । ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜକୁ ଦକ୍ଷିଣ ଚୀନ ସାଗରରେ ମୁତୟନ କରି ଚୀନକୁ ଚମକାଇ ଦେଇଛି । ବିବାଦୀୟ ଦକ୍ଷିଣ ଚୀନ ସାଗରରେ ଏକଚାଟିଆ ଅଧିକାର ଦାବି କରୁଥିବା ଚୀନ ଭାରତର ଏଭଳି ରଣନୀତିର ପ୍ରତିବାଦ କରିବା ସହ ଏ ବାବଦରେ ତୁରନ୍ତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି । ୨୦୦୯ ରୁ ଦକ୍ଷିଣ ଚୀନ ସାଗରରେ ଚୀନ କୃତି୍ରମ ଦ୍ୱୀପ ଏବଂ ସାମରିକ ଘାଟି ସ୍ଥାପନ କରି ଯେପରି ଏକଚାଟିଆ ଅଧିକାର ଜାହିର କରିଆସିଛି ତାହାକୁ ଆମେରିକା, ଜାପାନ ସମେତ ବିଭିନ୍ନ ରାଷ୍ଟ୍ର ବିରୋଧ କରି ଆସୁଛନ୍ତି । ତେବେ ଭାରତର ଯୁଦ୍ଧ ଜାହାଜ ପ୍ରଥମ ଥର ପାଇଁ ଦକ୍ଷିଣ ଚୀନ ସାଗରରେ ମୁତୟନ ହୋଇଥିବାରୁ ଚୀନର ଚିନ୍ତା ବଢ଼ିଯାଇଛି । ନିକଟରେ ପୂର୍ବ ଲଦାଖର ଗଲୱାନା ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଯାଇଥିଲେ । ଏହି ସଂଘର୍ଷ ପରେ ଚୀନ ସୀମାରେ ଭାରତର ସେନା ମୁତୟନ ସ୍ଥିତି, ପାଟ୍ରୋଲିଂ ଏବଂ ଅତ୍ୟାଧୁନିକ ନିରୀକ୍ଷଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଥିଲା । ଏବେ ଦକ୍ଷିଣ ଚୀନ ସାଗରରେ ଭାରତୀୟ ଯୁଦ୍ଧ ଜାହାଜର ଉପସ୍ଥିତି ଚୀନର ଆକ୍ରମଣାତ୍ମକ ନୀତିର ଜବାବରେ ଭାରତର ବହୁତ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଚୀନ ଏବେ ଏବାବଦରେ ତୁରନ୍ତ କୂଟନୈତିକ ଆଲୋଚନା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି । ଆଣ୍ଡାମାନ ନିକୋବରର ମଲାକା ପ୍ରଣାଳୀ ଅଞ୍ଚଳରେ ପୂର୍ବରୁ ଚୀନ ନୌସେନା ବାରମ୍ବାର ଅତିକ୍ରମଣ କରିଥିବାରୁ ଏବେ ଭାରତର ପଦକ୍ଷେପ ଚୀନ ପାଇଁ ଏକ କଡ଼ା ଜବାବ ସାବ୍ୟସ୍ତ ହୋଇଛି ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଭାରତ ମହାସାଗରରେ ଚୀନର ଯେକୌଣସି ଦୁଃସାହସର ଜବାବ ଦେବାକୁ ଭାରତୀୟ ନୌସେନା ସମ୍ପୂର୍ଣ୍ଣ ସକ୍ଷମ ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି ।