ବାହାଘରରେ ଶବ୍ଦ ପ୍ରଦୂଷଣ ହେଲେ କଡା କାର୍ଯ୍ୟାନୁଷ୍ଠାନ ହେବ
ବାହାଘରରେ ଶବ୍ଦ ପ୍ରଦୂଷଣ ହେଲେ କଡା କାର୍ଯ୍ୟାନୁଷ୍ଠାନ ହେବ
admin
Mar 4, 2021 - 06:03
Updated: Mar 4, 2021 - 06:03
ଭୁବନେଶ୍ବର: ଏଣିକି ବାହାଘର କିମ୍ବା ଅନ୍ୟ କୌଣସି ସାଂସ୍କୃତିକ କାର୍ୟ୍ୟକ୍ରମ କିମ୍ବା ଜନସଭାରେ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିଲେ ସାବଧାନ। କଡ଼ା କାର୍ୟ୍ୟାନୁଷ୍ଠାନ ହୋଇପାରେ। ଶବ୍ଦ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି। ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ସଦସ୍ୟ ସଚିବ କେ. ମୃଗସେନ ସମସ୍ତ ଜିଲାପାଳ ଓ ଏସପିଙ୍କୁ ଚିଠି ଲେଖି ଶବ୍ଦ ପ୍ରଦୂଷଣ ଉପରେ ନଜର ରଖିବାକୁ କହିଛନ୍ତି। ସେମାନଙ୍କ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରଖିବାକୁ ଚିଠିରେ ନିର୍ଦେଶ ଦିଆଯାଇଛି। ଫେବୃଆରୀ ୧୯ରେ ହୋଇଥିବା ପରିବେଶ ସମ୍ବନ୍ଧୀୟ ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣ ଉପରେ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ।ଅନେକ ସମୟରେ ବାହାଘର ଶୋଭାଯାତ୍ରାରେ ଯାଉଥିବା ଡିଜେ ଓ ଧାର୍ମିକ, ସାଂସ୍କୃତିକ କାର୍ୟ୍ୟକ୍ରମ ଓ ଜନସଭାବେଳେ ବାଜୁଥିବା ଡାକବାଜି ଯନ୍ତ୍ରର ଶବ୍ଦ ଅସହ୍ୟ ହୋଇପଡ଼ୁଛି। ଏହା ବୟସ୍କ, ରୋଗଗ୍ରସ୍ତ ତଥା ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। କିନ୍ତୁ ଏହା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ତେଣୁ ନିଜ ନିଜ ଅଞ୍ଚଳରେ ୬୫ ଡେସିବେଲରୁ ଅଧିକ ଶବ୍ଦରେ ଯେପରି ଡିଜେ କିମ୍ବା ଡାକବାଜି ଯନ୍ତ୍ର ବାଜିବନି ସେ ଉପରେ ନଜର ରଖିବାକୁ କୁହାଯାଇଛି। କୌଣସି କାର୍ୟ୍ୟକ୍ରମରେ ଡାକବାଜି ଯନ୍ତ୍ର କିମ୍ବା ଡିଜେ ବଜାଇବାକୁ ହେଲେ ଥାନାରୁ ଅନୁମତି ଆଣିବାକୁ ନିର୍ଦେଶ ଦିଆଯାଇଛି। ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତାହାହେଲେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ନିର୍ଦେଶ ଦିଆଯାଇଛି। ଏନେଇ କ’ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତା’ ଉପରେ ୪ ସପ୍ତାହ ମଧ୍ୟରେ ମୁଖ୍ୟ ସଚିବଙ୍କୁ ଅବଗତ କରିବାକୁ ସମସ୍ତ ଜିଲାପାଳ ଓ ସଚିବଙ୍କୁ ଚିଠିରେ ନିର୍ଦେଶ ଦିଆଯାଇଛି।