ବ୍ରିଟେନ ମନ୍ତ୍ରିମଣ୍ଡଳରେ ତିନି ଭାରତୀୟ
ବ୍ରିଟେନ ମନ୍ତ୍ରିମଣ୍ଡଳରେ ତିନି ଭାରତୀୟ
admin
Jul 26, 2019 - 09:39
Updated: Jul 26, 2019 - 09:39
ଲଣ୍ଡନ: ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ବୋରିସ ଜନସନ ୩ ଜଣ ଭାରତୀୟ ବଂଶୋଭବଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭଳି ଗୁରୁ ଦାୟିତ୍ୱ ଭାରତୀୟ ବଂଶୋଭବ ପ୍ରୀତି ପଟେଲଙ୍କୁ ଦିଆଯାଇଛି । ପ୍ରୀତି ଭାରତୀୟ ଭାବେ ବ୍ରିଟେନର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୋରିସ ଜନସନଙ୍କ କ୍ୟାବିନେଟରେ ତାଙ୍କୁ କୌଣସି ଗୁରୁଦାୟିତ୍ୱ ମିଳିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ୨୦୧୦ ମସିହାରେ ପ୍ରୀତି ପ୍ରଥମ ଥର ପାଇଁ ୱିଟହମରୁ ସାଂସଦ ନିର୍ବାଚିତ ହୋଇଥିଲେ । ଡେଭିଡ କ୍ୟାମରେନଙ୍କ କାର୍ଯ୍ୟକାଳରେ ମଧ୍ୟ ସେ ନିୟୋଜନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ୪୭ବର୍ଷିୟା ପ୍ରୀତିଙ୍କ ପୂର୍ବଜଙ୍କ ଘର ଗୁଜରାଟରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଣ୍ଡନ ଯାତ୍ରା ସମୟରେ ପୂର୍ବତନ ବ୍ରିଟିସ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ ପ୍ରୀତିଙ୍କୁ ମୋଦିଙ୍କ ଆତିଥ୍ୟର ଦାୟିତ୍ୱ ଦେଇଥିଲେ । ଲଣ୍ଡନରେ ଥିବା ଭାରତୀୟ ସମୁଦାୟ ମଧ୍ୟରେ ପ୍ରୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ସମର୍ଥକ ଭାବେ ପରିଚିତ । ବୋରିସଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଅନ୍ୟ ଦୁଇଜଣ ଭାରତୀୟ ହେଉଛନ୍ତି ଆଲୋକ ଶର୍ମା ଏବଂ ରିଶି ସୁନକ । ୫୧ ବର୍ଷିୟ ଆଲୋକ ଶର୍ମା ଆଗ୍ରାରେ ଜନ୍ମିତ । ତାଙ୍କୁ ଅନ୍ତର୍ଜାତୀୟ ଉନ୍ନୟନ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ଆଲୋକ ୨୦୧୦ ମସିହାରୁ ରିଡିଂ ୱେଷ୍ଟରୁ ସାଂସଦ ଭାବେ ନିର୍ବାଚିତ ହୋଇଆସୁଛନ୍ତି । ପୂର୍ବରୁ ସେ କନିଷ୍ଠ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଆସିଛନ୍ତି ।
ଅନ୍ୟ ପକ୍ଷରେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ରିଶି ସୁନକଙ୍କ ମଧ୍ୟ ବୋରିସଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ରିଶିଙ୍କୁ କନିଷ୍ଠ ମନ୍ତ୍ରୀ ନିଯୁକ୍ତି କରାଯାଇଛି । ୩୯ ବର୍ଷିୟ ରିଶି ୨୦୧୫ ରିଚମଣ୍ଡରୁ ସାଂସଦ ଭାବେ ନିର୍ବାଚିତ ହୋଇଆସୁଛନ୍ତି । ଉଲ୍ଲେଖଯୋଗ୍ୟ, ପାକିସ୍ଥାନ ବଂଶୋଭବ ସାଜିଦ ଜାବିଦଙ୍କୁ ମଧ୍ୟ ଅର୍ଥମନ୍ତ୍ରୀ ନିଯୁକ୍ତି କରାଯାଇଛି ।