ମହାମାରୀ ରୋକିବାକୁ ଶ୍ରୀମନ୍ଦିର ପରମ୍ପରା

ମହାମାରୀ ରୋକିବାକୁ ଶ୍ରୀମନ୍ଦିର ପରମ୍ପରା

ମହାମାରୀ ରୋକିବାକୁ ଶ୍ରୀମନ୍ଦିର ପରମ୍ପରା ଆଜି ବାଡ଼ିନୃସିଂହଙ୍କ ନଗର ବିଜେ; ଚାଲିଯିବ ‘କରୋନା’! ପୁରୀ:ଜଗନ୍ନାଥ ସଂସ୍କୃତି ଶ୍ରୀମନ୍ଦିରରେ ରହିଛି ସବୁ ମାନବିକ ଜୀବନ ଜଡ଼ିତ ପରମ୍ପରା । ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହିତ ଯୋଡ଼ି ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି ଓ ପରମ୍ପରା । ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ‘ବାଡ଼ିନୃସିଂହ’ ବିଜେ । ପ୍ରତି ବର୍ଷ ଚୈତ୍ର ମାସ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ଦକ୍ଷିଣୀ ଘରୁ ବାହାରି ନଗର ପରିକ୍ରମା ଚାରି ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମ ଅଙ୍ଗିରା, ଭୃଗୁ, ମାର୍କଣ୍ଡେୟ ଓ ପଣ୍ଡୁ ଆଶ୍ରମକୁ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି । ପରେ ବିଭିନ୍ନ ସାହିରେ, ଛକରେ ଠାକୁରଙ୍କ ପଂକ୍ତି ଭୋଗ ହୋଇଥାଏ । ବାଡ଼ିନୃସିଂହ ବିଜେ ପରେ ମହାମାରୀ ଆୟତ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବାଡ଼ିନୃସିଂହ ବିଜେ ପରମ୍ପରାର ଏକ ମହତ୍ ଉଦେ୍ଧଶ୍ୟ ରହିଛି । ଯେତେବେଳେ ମାନବ ସମାଜକୁ ମହାମାରୀ ଗ୍ରାସ କରେ ସେତେବେଳେ ସ୍ୱୟଂ ମହାପ୍ରଭୁ ବିଜେ କରି ଏହାର ନିରାକରଣ କରିଥାନ୍ତି । ମହାପ୍ରଭୁଙ୍କ ବାଡ଼ିନୃସିଂହ ବିଜେ ନୀତି ରହିଛି । ମହାପ୍ରଭୁ ନିଜେ ବିଜେ କରିବା ପରେ ମହାମାରୀ ଭଲ ହେବ ବୋଲି ବିଶ୍ୱାସ ରହିଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାଶ । ଡକ୍ଟର ଦାସଙ୍କ ସୂଚନା ହେଲା, ଏକଦା ଶ୍ରୀକ୍ଷେତ୍ର ଓ ଅନ୍ୟ ପ୍ରାନ୍ତରେ ହଇଜା ବା ବାଡ଼ି ବ୍ୟାପିଥିଲା । ୧୯୦୩ ରୁ ୧୯୦୫ ମସିହାରେ ଏହା ଅଣାୟତ୍ତ ହୋଇପଡ଼ିଥିଲା । ପୋକ ମାଛି ଭଳି ଲୋକ ମରୁଥିଲେ । ମନ୍ଦିର ମ୍ୟାନେଜର ରାଜକିଶୋର ରାୟ ପଣ୍ଡିତମାନଙ୍କୁ ଡକାଇ ଏହାର ନିରାକରଣ ପାଇଁ ମହାପ୍ରଭୁଙ୍କ ଶରଣକୁ ଯିବାକୁ ହେବ ବୋଲି କହିଥିଲେ । ସେହି ବର୍ଷ ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ ନୀତି ଆରମ୍ଭ ହୋଇଥିଲା । ମହାପ୍ରଭୁ ବାଡ଼ି ନୃସିଂହ ଭାବେ ନଗରକୁ ବିଜେ କରିବା ପରେ ସମଗ୍ର ପ୍ରାନ୍ତରେ ମହାମାରୀ ଭଲ ହୋଇଥିଲା । ସେହି ସ୍ମୃତିରେ ଆଜି ବି ଏହି ପରମ୍ପରା ପାଳିତ ହେଉଛି । ଏବେ ହଇଜା ନାହିଁ, ବାଡ଼ି ନୃସିଂହ କରୋନା ରୋଗର ପ୍ରତିହତ କରିବ ବୋଲି ବିଶ୍ୱାସ ରଖିବାକୁ ହେବ ବୋଲି ଡକ୍ଟର ଦାଶ କହିଛନ୍ତି । ଗୋପାଳ ସହସ୍ର ନାମରୁ ମହାପ୍ରଭୁଙ୍କର ଅନ୍ୟତମ ନାମ ‘ମହାମାରୀ ବିନାଶକ’ । ତେଣୁ ଆଜି ବାଡ଼ି ନୃସିଂହ ବିଜେ ପରେ ଭକ୍ତଙ୍କ କଲ୍ୟାଣ ପାଇଁ ମହାପ୍ରଭୁ ଏହି କରୋନା ମହାମାରୀର ବିନାଶ କରିବେ । ଏହି ମାସରେ କେବଳ ହଇଜା ନୁହେଁ ଅନ୍ୟ ମହାମାରୀ ହାଡ଼ଫୁଟି, ମିଳିମିଳା ଭଳି ରୋଗ ବ୍ୟାପିଥାଏ । ଏହି ମହାମାରୀ ଅଣାୟତ୍ତ ହୋଇଯାଇଥାଏ । ବାଡ଼ି ନୃସିଂହ ବିଜେ ପରେ ରୋଗ ସବୁ ଆୟତ୍ତକୁ ଆସିଥାଏ । ସମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା ଏବେ ଆକ୍ରାନ୍ତ ହୋଇଛି । ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ ରହିଛି । ତେଣୁ ଏହି ସମୟରେ ବାଡ଼ି ନୃସିଂହ ବିଜେ ନୀତି ନିଶ୍ଚିତ ଭାବେ ମହତ୍ୱ ରଖୁଛି । କରୋନା ମହାମାରୀ ଟଳିବ, ଏ ବିଶ୍ୱାସ ଆମ ସମସ୍ତଙ୍କୁ ରଖିବାକୁ ହେବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜା ପଣ୍ଡା କହିଛନ୍ତି ।