ମାର୍ଚ୍ଚ ସୁଦ୍ଧା ସ୍କୁଲରେ ପହଞ୍ଚିବ ବହି
ମାର୍ଚ୍ଚ ସୁଦ୍ଧା ସ୍କୁଲରେ ପହଞ୍ଚିବ ବହି
admin
Nov 23, 2019 - 09:26
Updated: Nov 23, 2019 - 09:26
ଭୁବନେଶ୍ୱର : ଏଥର ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ । ୨୦୨୦-୨୧ ଶିକ୍ଷାବର୍ଷ ଏପି୍ରଲରୁ ଆରମ୍ଭ ହୋଇଥିବାରୁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେମିତି ବାଧା ସୃଷ୍ଟି ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ମାର୍ଚ୍ଚ ଶେଷ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ପାଠ୍ୟପୁସ୍ତକ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ପାଠ୍ୟପୁସ୍ତକ ନିଦେ୍ର୍ଧଶାଳୟଠାରେ ମନ୍ତ୍ରୀ ଶ୍ରୀ ଦାଶ ପାଠ୍ୟ ପୁସ୍ତକ ବିତରଣର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଲେ ବର୍ତ୍ତମାନ ୩ ଲକ୍ଷ ୫୦ ହଜାର ପାଠ୍ୟ ପୁସ୍ତକ ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ପ୍ରଦାନ କରାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ବିଦ୍ୟାଳୟକୁ ବହି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରେ ସବୁ ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଖରେ ନୂତତ ପାଠ୍ୟ ପୁସ୍ତକ ପହଞ୍ଚିପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ । ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ୫ କୋଟି ୯୦ ଲକ୍ଷ ପୁସ୍ତକର ଆବଶ୍ୟକତା ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୨ ଲକ୍ଷ ପାଠ୍ୟ ପୁସ୍ତକ ଛପା କାର୍ଯ୍ୟ ଶେଷ ହୋଇଛି । ଅବଶିଷ୍ଟ ପାଠ୍ୟପୁସ୍ତକ ଛପା ହେବା ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଛପାଯାଇ ବଣ୍ଟନ କରାଯିବ । ପାଠ୍ୟପୁସ୍ତକ ବିତରଣ ଶୁଭାରମ୍ଭ ଅବସରରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ପାଠ୍ୟପୁସ୍ତକ ପ୍ରକାଶନ ଓ ବିତରଣ ନିଦେ୍ର୍ଧଶକ ବିକାଶ ଚନ୍ଦ୍ର ମହାପାତ୍ର, ପ୍ରାଥମିକ ଶିକ୍ଷାନିଦେ୍ର୍ଧଶକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।