ମୟୂରଭଞ୍ଜ ଲୋକସଭା : ବିଜେଡ଼ି, ବିଜେପି ଓ ଜେଏମଏମ ମଧ୍ୟରେ ଲଢ଼େଇ ଜୋରଦାର

ମୟୂରଭଞ୍ଜ ଲୋକସଭା : ବିଜେଡ଼ି, ବିଜେପି ଓ ଜେଏମଏମ ମଧ୍ୟରେ ଲଢ଼େଇ ଜୋରଦାର

ମୟୂରଭଞ୍ଜ ଲୋକସଭା : ବିଜେଡ଼ି, ବିଜେପି ଓ ଜେଏମଏମ ମଧ୍ୟରେ ଲଢ଼େଇ ଜୋରଦାର
ବାରିପଦା: ୫ ନମ୍ବର ମୟୂରଭଞ୍ଜ(ସଂ) ଲୋକସଭା ନିର୍ବାଚନ ମଣ୍ଡଳୀ । ୧୭ତମ ଲୋକସଭା ନିର୍ବାଚନ ନିମନ୍ତେ ୨୦୧୯ ଏପ୍ରିଲ ୨ରୁ ୯ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଏପ୍ରିଲ ୨୯ରେ ହେବ ମତଦାନ । ନିର୍ବାଚନରେ ବିଜେଡ଼ିକୁ ମୁହଁତୋଡ଼ ଜବାବ ଦେବା ନିମନ୍ତେ ବିଜେପି ଓ କଂଗ୍ରେସ-ଜେଏମଏମ ମେଣ୍ଟ ପ୍ରସ୍ତୁତ ରହିଛନ୍ତି । ନୂଆ ମୁହଁକୁ ନେଇ ଲଢ଼ାଇ ଦମଦାର ହେବ । ଜମିବ ପଶାପାଲିର ଖେଳ । ନିର୍ବାଚନରେ କିଏ ବାଜି ମାରିବ ତାହାକୁ ନେଇ ଚାଲିଛି ଅଙ୍କକଷା । ବିଜେଡ଼ିର ପ୍ରାର୍ଥୀ ଡ଼ା. ଦେବାଶିଷ ମାର୍ଣ୍ଡି ୨୦୧୪ ନିର୍ବାଚନରେ ଜେଏମଏମ ଟିକଟରେ ନିର୍ବାଚନ ଲଢ଼ି ସାରିଥିବା ବେଳେ ବିଜେପି ପ୍ରାର୍ଥୀ ଇଂ. ବିଶେଶ୍ୱର ଟୁଡ଼ୁ ଓ ଜେଏମଏମ ପ୍ରାର୍ଥୀ ତଥା ଜେଏମଏମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ କନ୍ୟା ଅଞ୍ଜନୀ ସୋରେନ ଦୁଇ ନୂଆ ମୁହଁ ଚଳିତ ନିର୍ବାଚନରେ ମଇଦାନକୁ ଉହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ ଇଂ ବିଶେଶ୍ୱର ଟୁଡ଼ୁ ଓ କଂଗ୍ରେସ-ଜେଏମଏମ ମେଂଟ ପ୍ରାର୍ଥୀ ଜେଏମଏମର ଅଞ୍ଜନୀ ସୋରେନ ଓ ବିଜେଡ଼ି ପ୍ରାର୍ଥୀ ଡ଼ା. ଦେବାଶିଷ ମାର୍ଣ୍ଡି ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ନିଜ ନିଜ ସପକ୍ଷରେ ଭୋଟରମାନଙ୍କୁ ପ୍ରଭାବିତ କରାଇବା ନିମନ୍ତେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ବେଳେ ବିଜେପି ଗୋଟାଏ ପାଦ ଆଗକୁ ଆଗେଇ ଯାଇଛି । ବିଜେପି ପ୍ରାର୍ଥୀ ଇଂ ବିଶେଶ୍ୱର ଟୁଟୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବା ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମୟୂରଭଞ୍ଜ ଗସ୍ତରେ ଆସି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଶାମାଖୁଣ୍ଟା, ବାରିପଦା ନିର୍ବାଚନ ମଣ୍ଡଳୀର ଡୁକୁରା ଓ ଉଦଳା ନିର୍ବାଚନ ମଣ୍ଡଳୀର କପ୍ତିପଦାଠାରେ ନିର୍ବାଚନୀ ସଭାର ମଙ୍ଗ ସମ୍ଭାଳିଥିବା ସମୟରେ ବିଜେଡ଼ି ଓ କଂଗ୍ରେସ-ଜେଏମଏମ ମେଣ୍ଟରୁ କୌଣସି ହେଭିୱେଟ ନେତା ବର୍ତମାନ ପର୍ଯ୍ୟନ୍ତ ପ୍ରଚାରକୁ ଉହ୍ଲାଇ ନାହାନ୍ତି । ମୟୂରଭଞ୍ଜ ଲୋକସଭା କ୍ଷେତ୍ରରୁ ବିଜେଡ଼ି ୨୦୦୯ରୁ ଦଖଲରେ ରଖିଆସିଛି । ଏହାପୂର୍ବରୁ କଂଗ୍ରେସ ୭ଥର, ବିଜେପି ୨ଥର, ସ୍ୱାଧୀନ, ସ୍ୱତନ୍ତ୍ର ଦଳ, କଂଗ୍ରେସ(ଜେ), ଉକ୍ରଳ କଂଗ୍ରେସ, ଲୋକଦଳ, ଜନତାଦଳ ଓ ଜେଏମଏମ ପ୍ରତ୍ୟେକ ଥରେ ଲେଖାଏଁ ବିଜୟୀ ହୋଇଥିଲେ । ଏହା ମଧ୍ୟରେ ପଂଚମ ଓ ସପ୍ତମ ଲୋକସଭା ସମୟରେ ଦୁଇଥର ଉକ୍ତ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗତ ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଇଂ. ରାମଚନ୍ଦ୍ର ହାଁସାଦଃ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ଡ଼ା. ନେପୋଲ ରଘୁ ମୁର୍ମୁକୁ ୧,୨୨,୮୬୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଶ୍ରୀହାଁସଦାଃ ୩୭.୩୮ ପ୍ରତିଶତ ହାରରେ ୩,୯୩,୭୭୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଡ଼ା.ମୁର୍ମୁ ୨୫.୭୨ ପ୍ରତିଶତ ହାରରେ ୨,୭୦,୯୧୩ ଖଣ୍ଡ, ଜେଏମଏମ ପ୍ରାର୍ଥୀ ଡ଼ା. ମାର୍ଣ୍ଡି ୧୬.୪୨ ପ୍ରତିଶତ ହାରରେ ୧,୭୨,୯୮୪ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଶ୍ୟାମସୁନ୍ଦର ହାଁସଦାଃ ୧୩.୫ ପ୍ରତିଶତ ହାରରେ ୧,୪୨,୧୬୫ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ରେ ନିର୍ବାଚିତ ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ ନିର୍ବାଚନର ଅଳ୍ପ କେତେମାସ ବ୍ୟବଧାନରେ ନବଦିଗନ୍ତ ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ମଧ୍ୟରେ ୩ ବର୍ଷ ୮ ମାସ କଟାଇ ସର୍ତ ମୂଳକ ଜାମିନରେ କିଛି ମାସ ପୂର୍ବେ ବାହାରକୁ ଆସିଛନ୍ତି । ଫଳରେ ୨୦୧୯ ନିର୍ବାଚନରେ ବିଜେଡ଼ି ନିଜର ଭାବମୂର୍ତିକୁ ବଜାୟ ରଖିବା ନିମନ୍ତେ ପ୍ରାର୍ଥୀ ବଦଳାଇବାକୁ ବାଧ୍ୟ ହୋଇଛି ଏବଂ ଦଳରେ ନବାଗତ ଡ଼ା.ମାର୍ଣ୍ଡିଙ୍କ ଉପରେ ଦଳ ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନ ଆସ୍ଥା ପ୍ରକଟ କରିଛନ୍ତି । ଡ଼ା.ମାର୍ଣ୍ଡି ତାଙ୍କର ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । ରୋଗୀ ସେବା ବଦଳରେ ଜନସେବା ପ୍ରତି ଆକୃଷ୍ଟ ହୋଇ ସରକାରୀ ଡ଼ାକ୍ତରୀ ଚାକିରୀ ତ୍ୟାଗ କରି ସିଧାସଳଖ ରାଜନୀତିରେ ପ୍ରବେଶ କରିଛନ୍ତି । ୨୦୧୪ର ନିର୍ବାଚନୀ ଅଭିଜ୍ଞତା ସହ ବିଜେଡ଼ିରେ ମିଶିବା ପରେ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋଇ ଜିଲ୍ଲାରେ ନିଜର ସଙ୍ଗଠନକୁ ଅଧିକ ମଜବୁତ କରାଇପାରିଥିବାରୁ ଲୋକସଭା ନିର୍ବାଚନ ଲଢ଼ିବା ପଥକୁ ସୁଗମ କରାଇଦେଇଛି ଏବଂ ନିର୍ବାଚନ ମଣ୍ଡଳୀର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇବାରେ ସଫଳ ହୋଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ନେପୋଲ ରଘୁ ମୁର୍ମୁ ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେବା ପରେ ଦଳ ଇଂ ବିଶେଶ୍ୱର ଟୁଡ଼ୁଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପ୍ରାର୍ଥୀ କରାଇଛି । ଇଂ.ଟୁଡ଼ୁ ବିଜେପି ଦଳ ସହିତ ବହୁ ବର୍ଷ ଧରି କାର୍ଯ୍ୟ କରିଆସିଛନ୍ତି । ଦଳରୁ ପ୍ରାର୍ଥୀ ହେବାର ଆଶା ମଧ୍ୟ ପୂରଣ ହୋଇଛି । ବର୍ତମାନ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ି ବିରୋଧରେ ଏବଂ ବିଜେପି ସପକ୍ଷରେ ଏକ ଅନ୍ତସ୍ରୋତ ପ୍ରବାହିତ ହେଉଥିବା ଫଳରେ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବିଜେଡ଼ି-ବିଜେପି ମଧ୍ୟରେ ଜୋରଦାର ମୁକାବିଲା ହେବାର ସମ୍ଭାବନା ଦେଖାଦେଇଛି । ଜେଏମଏମ ଦଳ ଛାଡ଼ି ଡ଼ା.ମାର୍ଣ୍ଡି ବିଜେଡ଼ି ଟିକଟରେ ନିର୍ବାଚନ ଲଢ଼ୁଥିବାରୁ ତାଙ୍କ ସ୍ଥାନରେ ଦଳ ନୂଆ ମୁହଁ ତଥା ଦଳର ସୁପ୍ରିମୋ ଶିବୁ ସୋରେନଙ୍କ କନ୍ୟା ଅଞ୍ଜନୀ ସୋରେନଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ଟିକଟ ଦେଇଛି । ଏଥି ସହିତ ଜିଲ୍ଲାରେ କଂଗ୍ରେସ ସହ ମେଣ୍ଟ ମଧ୍ୟ ରହିଛି । କିନ୍ତୁ ନିର୍ବାଚନରେ ଅଞ୍ଜନୀ ସୋରେନଙ୍କ ସପକ୍ଷରେ କେବଳ ଜେଏମଏମ ଦଳର ପାରମ୍ପରିକ ତଥା ପକେଟ ଭୋଟ ପଡ଼ିବାର ସମ୍ଭାବନା ଦେଖାଦେଇଛି । ଜିଲ୍ଲାରେ ଉପରେ କଂଗ୍ରେସ-ଜେଏମଏମ ମେଣ୍ଟ ଓ ଭିତରେ ଉଭୟଙ୍କ ମଧ୍ୟରେ ବିରାଟ ବ୍ୟବଧାନ ରହିଥିବା ବିଷୟକୁ ନେଇ ଆଲୋଚନା ଜାରି ରହିଛି । ଏହା ସତ୍ୟ ହୋଇଥିଲେ କଂଗ୍ରେସ ଭୋଟ ଜେଏମଏମ ସପକ୍ଷରେ ଆସିବା ରାସ୍ତା ବନ୍ଦ ହୋଇଯିବାର ସମ୍ଭାବନା ରହିଛି । ତେବେ ଦୁଇ ବିରାଡ଼ି କଳିରୁ ତୃତୀୟର ଲାଭ ଭଳି ଜିଲ୍ଲାରେ ବିଜେଡ଼ି ଓ ବିଜେପିରେ ଦେଖାଦେଇଥିବା ଗୃହଯୁଦ୍ଧରୁ ଜେଏମଏମକୁ ଫାଇଦା ମିଳିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା କ୍ଷତ୍ରେ ମଧ୍ୟରୁ ୨୬ ନଂ ଯଶୀପୁର(ସଂ), ୨୭ ନଂ ସାରସକଣା(ସଂ), ୨୮ ନଂ ରାଇରଙ୍ଗପୁର(ସଂ), ୨୯ ନଂ ବାଙ୍ଗ୍ରିପୋଷି(ସଂ), ୩୧ ନଂ ଉଦଳା(ସଂ), ୩୩ନଂ ବାରିପଦା(ସଂ) ଓ ୩୪ନଂ ମୋରଡ଼ା(ଅଣସଂରକ୍ଷିତ) ଏହିପରି ୭ଟି ବିଧାନସଭା କ୍ଷେତ୍ରକୁ ନେଇ ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ । ୨୦୧୯ ଜାନୁଆରୀ ୨୧ ତାରିଖରେ ପ୍ରକାଶିତ ଭୋଟର ତାଲିକା ଅନୁସାରେ ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୯,୧୫,୦୩୧ ରହିଥିବା ବେଳେ ମହିଳା ଭୋଟର ସଂଖ୍ୟା ୯,୧୬,୯୩୮ ଓ ଅନ୍ୟାନ୍ୟ ସଂଖ୍ୟା ୫୪କୁ ମିଶାଇ ମୋଟ ୧୮ଲକ୍ଷ ୩୨ହଜାର ୨୩ ରହିଅଛି ।