ସାରା ଓଡିଶାରେ ଚାଲିବ ବସ୍
ସାରା ଓଡିଶାରେ ଚାଲିବ ବସ୍
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ମେ’ ୫ରେ ଘୋଷିତ ତାଲାବନ୍ଦର ୫ମ ପର୍ଯ୍ୟାୟ ଅବଧି ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଶେଷ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଦନ କରିଛନ୍ତି । ଆଂଶିକ ଲକଡାଉନ ସରୁଥିବାରୁ ଶ୍ରୀ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୧ ଯାଏଁ ପୁଣି ଥରେ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ଏହି ଅବସରରେ ଏଣିକି ସାରା ରାଜ୍ୟରେ ବସ ସେବା ଚାଲୁ ରହିବ । ବସରେ ଯେତିକି ସିଟ ସେତିକି ଲୋକ ଯିବାକୁ ଅନୁମତି ମିଳିବ । କେବଳ ପୁରୀକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ କରାଯାଇଛି । ଟ୍ୟାକ୍ସି ଓ ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ । ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଟ୍ୟାକ୍ସି ଓ ଅଟୋ ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ କେବଳ କାଟେଗୋରୀ ‘ଏ’ରେ ବସ ଚଳାଚଳ ପାଇଁ ଅନୁମତି ଥିଲା । ତେବେ କଟକ ଓ ଭୁବନେଶ୍ୱରକୁ ବସ ଚଳାଚଳ ପାଇଁ ଅନୁମତି ନଥିବାରୁ ବସ ଚଳାଚଳ ହୋଇପାରୁନିଥିଲା ।