୧୦,୦୦୦ ଟ୍ୱେଣ୍ଟି-୨୦ ରନ, କୋହଲି ପ୍ରଥମ ଭାରତୀୟ
୧୦,୦୦୦ ଟ୍ୱେଣ୍ଟି-୨୦ ରନ, କୋହଲି ପ୍ରଥମ ଭାରତୀୟ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳର ଅଧିନାୟକ ବିରାଟ କୋହଲି ପ୍ରଥମ ଭାରତୀୟ ଭାବେ ୧୦,୦୦୦ ଟ୍ୱେଣ୍ଟି-୨୦ ରନର ମାଇଲଖୁଣ୍ଟ ଛୁଇଁଥିଲେ । ଏହି ମ୍ୟାଚକୁ ଯିବା ପୂର୍ବରୁ ୩୧୩ ଟ୍ୱେଣ୍ଟି-୨୦ ଖେଳି ୧୩୩.୯୫ର ଷ୍ଟ୍ରାଇକ୍ ରେଟ୍ ସହ ୯୯୮୭ ରନ୍ କରିଥିଲେ । ତା ମଧ୍ୟରେ ଥିଲା ୫ ଶତକ ଏବଂ ୭୩ ଅର୍ଦ୍ଧଶତକ । ଏବେ ସେ ୩୧୪ ମ୍ୟାଚରୁ ୫ ଶତକ ଓ ୭୪ ଅର୍ଦ୍ଧଶତକ ସହ ୧୦,୦୩୮ ରନ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିଥିବା ୫୧ ରନ୍ ପାଳିରୁ ୧୩ ରନ୍ କରିବା ବେଳେ ହିଁ ଏହି କୀର୍ତ୍ତିମାନ କରି ନେଇଥିଲେ କୋହଲି । ଟ୍ୱେଣ୍ଟି-୨୦ରେ ୧୦,୦୦୦ ରନ୍ ପୂରଣ କରିବାରେ କୋହଲି କିନ୍ତୁ ବିଶ୍ୱର ପଞ୍ଚମ ଖେଳାଳି । ୪୪୬ ଟ୍ୱେଣ୍ଟି-୨୦ରୁ ୧୪,୨୬୧ ରନ୍ କରି ୱେଷ୍ଟଇଣ୍ଡିଜର ଦୁର୍ଦ୍ଧର୍ଷ ବ୍ୟାଟର କ୍ରିସ୍ ଗେଲ୍ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୨୨ ଶତକ ଏବଂ ୮୭ ଅର୍ଦ୍ଧଶତକ ହାସଲ କରିଛନ୍ତି । ଟ୍ୱେଣ୍ଟି-୨୦ରେ ପୂର୍ବରୁ ୧୦,୦୦୦ ରନ୍ ପୂରଣ କରି ସାରିଥିବା ଅନ୍ୟ ୩ଜଣ ଖେଳାଳି ହେଲେ ୱେଷ୍ଟଇଣ୍ଡିଜର କିରଣ ପୋଲାର୍ଡ (୧୧.୧୯୫ ରନ୍), ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ (୧୦,୮୦୮) ଏବଂ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର (୧୦,୦୧୭) । ତେବେ ଅନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ରେ କୋହଲି ସର୍ବାଧିକ ୩୧୫୯ ରନ୍ କରିଛନ୍ତି । ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା (୨୮୬୪) ଏହିକ୍ରମରେ ତୃତୀୟ ସ୍ଥାନରେ ରହିଛନ୍ତି । କୋହଲି ମଧ୍ୟ ଆଇପିଏଲର ଅଗ୍ରଣୀ ରନ୍ ସ୍କୋର । ଆଇପିଏଲରେ ୨୦୨ ମ୍ୟାଚ୍ ଖେଳି ୫ ଶତକ ଏବଂ ୪୨ ଅର୍ଦ୍ଧଶତକ ବଳରେ ୬୧୮୫ ରନ୍ କରିଛନ୍ତି ସେ ।