ଡ୍ରାମା କରୁଛି ବିଜେପି : ବିଜେଡି

ଡ୍ରାମା କରୁଛି ବିଜେପି : ବିଜେଡି

  ଡ୍ରାମା କରୁଛି ବିଜେପି : ବିଜେଡି
ଭୁବନେଶ୍ୱର: ବିଜେପି ଏବେ ଧାନ ଦଲାଲଙ୍କ ପାଇଁ ଓକିଲାତି କରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ସମ୍ବଲପୁରରେ ବିଜେପିର ଚାଷୀ ଆନେ୍ଦାଳନ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଶୀମୟୀ ମିଶ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ, ବିଜେପି ଡ୍ରାମା କରୁଛି । ଧାନ ସଂଗ୍ରହ ସୁରୁଖୁରରେ ଚାଲିଛି । ଧାନ ସଂଗ୍ରହରେ ରେକର୍ଡ ହୋଇଛି । ବିଜେଡି ଚାଷୀଙ୍କ ସହ ରହିଛି । ଚାଷୀଙ୍କ ସବୁ ଧାନ ସଂଗ୍ରହ କରାଯିବ । ଚାଷୀଙ୍କ ଆକଉଣ୍ଟକୁ ଟଙ୍କା ଯାଉଥିବାରୁ ବିଜେପି ଦଲାଲଙ୍କ ପାଇଁ ଓକିଲାତି କରୁଛି । ଦିଲ୍ଲୀ ଆନେ୍ଦାଳନରୁ ନଜର ହଟାଇବା ଓ ଦଲାଲଙ୍କୁ ଲାଭାନ୍ୱିତ କରିବା ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେଡି ମୁଖପାତ୍ର ଶୀମୟୀ ମିଶ୍ର କହିଛନ୍ତି । ପ୍ରକାଶ ଯେ, ଗତକାଲି ପଶ୍ଚିମ ଓଡ଼ିଶାର ୩୭ଟି ବିଧାନସଭା କ୍ଷେତ୍ରରୁ ପ୍ରାୟ ୧୦ ହଜାର ନେତା ଓ କର୍ମୀ ଏକତ୍ରିତ ହୋଇଥିଲେ ସମ୍ବଲପୁରରେ। ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ପ୍ରଥମେ ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ଉଦ୍‌ବୋଧ‌ନ ଦେଇ ପ୍ରାୟ ସମସ୍ତ ନେତା ବରଗଡ଼ରେ ଜଣେ ଚାଷୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ବେପରୁଆ ନୀତିକୁ ଦାୟୀ କରିଥିଲେ । ଏହାପରେ ସମସ୍ତେ ପିଏଚ୍‌ଡି ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ମଧ୍ୟ ଦେଇ ଆସି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ୟ୍ୟାଳୟ ନିକଟରେ ପହଞ୍ଚିଥିଲେ। ପୂର୍ବରୁ ପ୍ରସ୍ତୁତ ପୁଲିସ୍‌ ଉକ୍ତ ଅଞ୍ଚଳକୁ ସଂପୂର୍ଣ୍ଣ ଆବଦ୍ଧ କରି ରଖିଥିଲା । ଶୋଭାଯାତ୍ରା ପହଞ୍ଚିବା ପରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀ ସ୍ଳୋଗାନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ପୁଲିସ୍‌ ସହ ବିଜେପି କର୍ମୀଙ୍କର ପ୍ରବଳ ଧସ୍ତାଧସ୍ତି ହୋଇଥିଲା । କିଛି କର୍ମୀ ପାଚେରି ଉପରକୁ ଉଠି ଆର୍‌ଡିସି କାର୍ୟ୍ୟାଳୟକୁ ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୁଲିସ୍‌ ବହୁ ପ୍ରମୁଖ ନେତାଙ୍କୁ ଗିରଫ କରିବା ସହ କୌଣସି ପ୍ରକାରେ ଜନ ସମୁଦ୍ରକୁ ପ୍ରତିରୋଧ କରିଥିଲା । ଆର୍‌ଡିସି ସେମାନଙ୍କୁ ନଭେଟିବା ଓ ଦାବିପତ୍ର ଗ୍ରହଣ ନକରିବା ପ୍ରତିବାଦରେ ଗିରଫ ହୋଇ ଆସିଥିବା ବିଜେପି ନେତୃବୃନ୍ଦଙ୍କ ସହ ବହୁ ନେତା ଓ କର୍ମୀ ସମ୍ବଲପୁର ଟାଉନ୍‌ ଥାନାରେ ଧାରଣାରେ ବସି ରହିଥିଲେ। ଆର୍‌ଡିସି ଆସି ଆଲୋଚନା ନ କରିବା ପର୍ୟ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଥିଲେ । ରାତି ପର୍ୟ୍ୟନ୍ତ ସେମାନେ ବସି ରହିଥିଲେ । କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବେ ଆସିଥିବା ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂହ‌ ତୋମାର ରାତିରେ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଡାକି କହିଲେ ଯେ ଏତେ ବଡ଼ ସମାବେଶ ସତ୍ତ୍ବେ କୌଣସି ସରକାରୀ ଅଧିକାରୀ ଆମ ପ୍ରତିନିଧିଙ୍କୁ ନ ଭେଟିବା ସରକାରଙ୍କ ଅହଂକାରର ପରିଚୟ ଦିଏ । ତେବେ ରାଜ୍ୟ ସରକାରଙ୍କ ଏକଚାଟିଆ ନୀତିରେ ବିଜେପି ଦବି ଯିବନାହିଁ । ମଣ୍ଡିରୁ ଚାଷୀଙ୍କ ଶେଷ ମୁଠା ଧାନ ନ ଉଠିବା ଯାଏ ଆମ ଆନ୍ଦୋଳନ ଜାରି ରହିବ ବୋଲି ସେ ଘୋଷଣା କରିଥିଲେ ।