‘ମୁଁ ଜାଣିପାରିଲି, ଭର୍ତ୍ତୃହରି ଜାଣିପାରିଲେଣୀ’ : ଦେବାଶିଷ ସାମନ୍ତରାୟ

‘ମୁଁ ଜାଣିପାରିଲି, ଭର୍ତ୍ତୃହରି ଜାଣିପାରିଲେଣୀ’ : ଦେବାଶିଷ ସାମନ୍ତରାୟ

 ‘ମୁଁ ଜାଣିପାରିଲି, ଭର୍ତ୍ତୃହରି ଜାଣିପାରିଲେଣୀ’ : ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର: କଟକ ଖାନନଗରରେ ହେବାକୁ ଥିବା ଅତ୍ୟାଧୁନିକ ବସ ଟର୍ମିନାଲକୁ ନେଇ ଏବେ ରାଜନୀତି ଜୋର ଧରିଛି । କଟକରେ ପ୍ରସ୍ତାବିତ ଏହି ବସ ଟର୍ମିନାଲର ନାମ ରଖାଯାଇଛି ନେତାଜୀ ସୁଭାଷ ବୋଷ ବସ ଟର୍ମିନାଲ । ତେବେ ଆଗକୁ ପୌର ନିର୍ବାଚନ ଥିବାରୁ ଏହାକୁ ଏକ ଭେଳିକି ବୋଲି କିଛି ଦିନ ପୂର୍ବେ କଟକର ବିଜେପି ନେତା ପ୍ରକାଶ ବେହେରା କହିଥିବାବେଳେ ପରେ କିନ୍ତୁ ଖୋଦ ବିଜେଡିର ତୁଙ୍ଗ ନେତା ତଥା କଟକ ଏମପି ଭର୍ତ୍ତୃହରି ମହତାବ ଏନେଇ ଅସନ୍ତୋଷ ଝାଡ଼ିଥିଲେ । ତେବେ ଭର୍ତ୍ତୃହରିଙ୍କ ଅସନ୍ତୋଷକୁ ନାପସନ୍ଦ କରିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଟର୍ମିନାଲ ନେଇ ଭର୍ତ୍ତୃହରି କିଛି ଜାଣିନଥିବା ଉପରେ ଶ୍ରୀ ସାମନ୍ତରାୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ ସରକାରୀ ଦଳ ସାଂସଦ ହୋଇ ଅବଗତ ନଥିବା କହିବା ଦୁଃଖଦାୟକ । ପୂର୍ବତନ ବିଧାୟକ ହୋଇ ମୁଁ ଜାଣିପାରିଲି, ସେ କିପରି ଜାଣିପାରିଲେନି ବୋଲି ଶ୍ରୀ ସାମନ୍ତରାୟ ପ୍ରଶ୍ନ କରିଛନ୍ତି । ଏପରିକି ଜିଲ୍ଲାପାଳ ଭର୍ତ୍ତୃହରିଙ୍କୁ ଏନେଇ ଅବଗତ କରିଥିବା ଶ୍ରୀ ସାମନ୍ତରାୟ କହିଛନ୍ତି । ସେହିପରି ଟର୍ମିନାଲକୁ ଯିଏ ବିରୋଧ କରୁଛନ୍ତି ସେମାନେ ଜମି ମାଡ଼ି ବସିଥିବା ଲୋକ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି । ପ୍ରକାଶ ଯେ, ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ପରେଡ ଉତ୍ସବରେ ଯୋଗ ଦେବା ପରେ ଭର୍ତ୍ତୃହରି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରୁଥିବା ବେଳେ ତାଙ୍କ ଅସନ୍ତୋଷ ପଦାକୁ ଚାଲି ଆସିଥିଲା। ଏନେଇ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଭର୍ତ୍ତୃହରି କହିଥିଲେ, ମୁଖ୍ୟ ଶାସନ ସଚିବଙ୍କ ପ୍ରକୋଷ୍ଠରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେଲେ। ହେଲେ ଜନ ପ୍ରତିନିଧିଙ୍କ ସହ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ।