ବିଜେପିର ଟିକେଟ୍‌ ଫର୍ମୁଲା

ବିଜେପିର ଟିକେଟ୍‌ ଫର୍ମୁଲା

ନୂଆଦିଲ୍ଲୀ : ଦୁଇଟି ଲୋକସଭା ନିର୍ବାଚନ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନ ଗୁରୁତ୍ବ ଅଧିକ। ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ହେବାପରେ ଦେଶରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ତା’ର ରଣନୀତିକୁ ସଶକ୍ତ କରିବା ସହିତ ଦମ୍‌ ଦେଖାଇବାକୁ ପାଗ ଭିଡ଼ିଛି। ବିଶେଷକରି ଦଳୀୟ ଟିକଟ ବଣ୍ଟନ ନେଇ ଏବେଠାରୁ ଆରମ୍ଭ ହୋଇଛି କସରତ। ଦଳ ଆଭ୍ୟନ୍ତରୀଣ ସର୍ଭେ ଆରମ୍ଭ କରିଛି। କେବଳ ସେତିକି ନୁହେଁ, ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ଦଳ।

କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନଙ୍କୁ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇ ଦିଆଯାଇଛି। ଗୋଟିଏ ସୂତ୍ର ନିର୍ଣ୍ଣୟ ହୋଇଛି, ତାହା ହେଲା- ଯେଉଁମାନେ ବିଜୟୀ ହେବା ସମ୍ଭାବନା ଅଧିକ, ସେମାନଙ୍କୁ ଟିକେଟ୍‌ ମିଳିବ। ମିଳିଥିବା ସୂଚନା ଅନୁସାରେ ବିଜେପି ବିଭିନ୍ନ ପ୍ରକ୍ରିୟାରେ ଜନତାଙ୍କ ମଧ୍ୟରେ ନିଜର ସାଂସଦମାନଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତାକୁ ପରଖୁଛି। ଏହାର ଆଧାରରେ ରିପୋର୍ଟ ପ୍ରସ୍ତୁତ ଚାଲିଛି। ୭୫ ବର୍ଷରୁ ଅଧିକ ବୟସ୍କ କିଛି ସାଂସଦଙ୍କୁ ଟିକେଟ୍ ଦିଆଯାଇନପାରେ। ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ନ ହେଲେ ମଧ୍ୟ କିଛି କ୍ଷେତ୍ରରେ ଦଳ ପରୀକ୍ଷାମୂଳକ ଭାବେ ୩୩% ଆସନରେ ମହିଳା ପ୍ରାର୍ଥୀ ଦେବାକୁ ବିଚାର କରୁଛି। ଲଗାତାର ୧୦ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବା ପରେ ଲୋକଙ୍କ ମଧ୍ୟରେ ସାଧାରଣତଃ ସରକାର ବିରୋଧୀ ହାୱା ସୃଷ୍ଟି ହୁଏ।

ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅତୁଟ ରହିଛି। ଏଣୁ ଏହି କ୍ରମରେ ଯଦି ବିଜେପି ଆଗାମୀ ନିର୍ବାଚନରେ ନୂଆ ଚେହେରା ଦେବ ତା’‌ହେଲେ ଦଳକୁ ଫାଇଦା ହୋଇପାରେ ବୋଲି ରାଜନୀତି ରଣନୀତିକାରମାନେ ମତବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଓଡ଼ିଶା ସଂପର୍କରେ ଗୋଟିଏ ଚର୍ଚ୍ଚା ଦଳର ମୁଖ୍ୟାଳୟରେ ଚାଲିଛି। ତାହା ହେଲା- ଲୋକସଭାର କିଛି ସାଂସଦ ଏଥର ବିଧାନସଭା‌ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି। ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୨୧ଟି ଆସନରେ ନିର୍ବାଚନ ଲଢ଼ି ୮ଟିରେ ବିଜୟ ଲାଭ କରିଥିଲା।