ଏଣିକି ବିଏମସି ଅଞ୍ଚଳରେ କୌଣସି ସଂସ୍ଥା ରାସ୍ତା କାଟିପାରିବେ ନାହିଁ

ଏଣିକି ବିଏମସି ଅଞ୍ଚଳରେ କୌଣସି ସଂସ୍ଥା ରାସ୍ତା କାଟିପାରିବେ ନାହିଁ

ଭୁବନେଶ୍ୱର : ଭୁବନେଶ୍ୱରରେ ରାସ୍ତା ଖୋଳା ପୋତାକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଏଣିକି ବିଏମସି ଅଞ୍ଚଳରେ କୌଣସି ସଂସ୍ଥା ରାସ୍ତା କାଟିପାରିବେ ନାହିଁ । ବିଭିନ୍ନ ଟେଲିଫୋନ କମ୍ପାନୀ ଖୁଂଟ, ଟାୱାର ଓ କେବୁଲ ପକାଇବା ପାଇଁ ରାସ୍ତା ଖୋଳିଦେଉଛନ୍ତି । ମାତ୍ର ଏଣିକି ବିନା ଅନୁମତିରେ କୌଣସି ଟେଲିଫୋନ କମ୍ପାନୀ ରାସ୍ତା ଖୋଳିପାରିବେ ନାହିଁ । ଯଦି ବିଏମସି ରାସ୍ତା ଖୋଳିବା ଜରୁରୀ, ତେବେ ସଂପୃକ୍ତ କମ୍ପାନୀ ବିଏମସିକୁ ଲିଖିତ ଭାବେ ଜଣାଇବେ ।
ବିକାଶମୂଳକ କାମ ପାଇଁ ଯଦି ଜରୁରୀ ପଡେ ତେବେ ବିଏମସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବେ । ବିଏମସି ସୀମା ମଧ୍ୟରେ ବର୍ତ୍ତମାନ କୌଣସି ରାସ୍ତା କାଟିବା ପାଇଁ ଅନୁମତି ଦିଆଯିବ ନାହିଁ । ତେବେ ଏହି ଅନୁମତି ପାଇଁ ସଂପୃକ୍ତ ସଂସ୍ଥାକୁ ଅନଲାଇନରେ ଭୁବନେଶ୍ୱର ଡଟ ମି’କୁ ଯାଇ ଆବେଦନ କରିବାକୁ ପଡିବ । ଆବେଦନ ଯୁକ୍ତିଯୁକ୍ତ ଥିଲେ ସମୀକ୍ଷା କରାଯିବ । ବିଏମସିର ରାସ୍ତା ହୋଇଥିଲେ ବିଏମସି ଏନଓସି ଦେବ । ରାସ୍ତା ପୂର୍ତ ବିଭାଗର ହୋଇଥିଲେ ସମୀକ୍ଷା ପାଇଁ ବିଏମସି ପୂର୍ତ ବିଭାଗକୁ ପଠାଇବ ଓ ପୂର୍ତ ବିଭାଗରୁ ସବୁଜ ସଙ୍କେତ ମିଳିବା ପରେ ବିଏମସି ଏନଓସି ଦେବ ।ଖୁଂଟ, ଟାୱାର ବସାଇବା ଓ କେବୁଲ ପକାଇବା ପାଇଁ ରାସ୍ତା ଖୋଳିଲେ ସଂପୃକ୍ତ କମ୍ପାନୀ ପୂର୍ବଭଳି ରାସ୍ତାକୁ ଭଲଭାବେ ପୋତିବେ ଓ ଖୋଳା ହୋଇଥିବା ସ୍ଥାନକୁ ଭଲଭାବେ ମରାମତି କରିବେ । ଏନଓସି ମିଳିବାର ସାତଦିନ ମଧ୍ୟରେ ସଂପୃକ୍ତ ସଂସ୍ଥା କାମ ଆରମ୍ଭ କରିବେ । କାମ ସାରିବାର ଅବଧି ବାବଦରେ ସ୍ପଷ୍ଟ ସୂଚନା ଦେବା ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ସାରିବେ । ଅତି ଜରୁରୀ ନଥିଲେ ରାସ୍ତା କାଟିବାକୁ ଅନୁମତି ଦେବନି ବିଏମସି ।କୌଣସି ସଂସ୍ଥା ନିଜର ନିର୍ମାଣ ଓ କାର୍ୟ୍ୟଜନିତ ଆସବାବପତ୍ର ବିଏମସି ରାସ୍ତା ଉପରେ ବହୁଦିନ ଧରି ପକାଇପାରିବେ ନାହିଁ । ଏହାକୁ ସେମାନେ ନିଜ ହେପାଜତରେ ରଖିବେ ଓ ବିଏମସି ଜାଗାରେ ରଖିବା ପାଇଁ ଅନୁମତି ନେବା ସହ ଉପଯୁକ୍ତ ଦେୟ ଦେବାକୁ ପଡିବ । ଏହା କେଉଁଠାରେ ରହିବ ତାହା ବିଏମସି ସ୍ଥିର କରିବ । ବିଏମସି ମୁଖ୍ୟ ଅଫିସରେ ବସିଥିବା ବୈଠରେ ଏହି ନିଷ୍ପତ୍ତି ହୋଇଛି ।