ଅପ୍ରୀତିକର ପରିସ୍ଥିତି: ସଦାଚାର କମିଟିରୁ ଉଠି ପଳାଇଲେ ମହୁଆ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ତଦନ୍ତ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୋଗର ତଦନ୍ତ କରୁଥିବା ଲୋକସଭା ସଦାଚାର କମିଟି ନିକଟରେ ନିଜର ପକ୍ଷ ରଖିବା ଲାଗି ମହୁଆ ସମନ ଆଧାରରେ ଗୁରୁବାର ହାଜର ହୋଇଥିଲେ। ଏହି ସମୟରେ ସଦାଚାର କମିଟି ପକ୍ଷରୁ ମହୁଆଙ୍କୁ ବିଭିନ୍ନ ଅରୁଚିକର ପ୍ରଶ୍ନ ପଚରାଯାଇଥିଲା। ଯେଉଁଥିପାଇଁ ମହୁଆ କମିଟିରୁ ଉଠି ଚାଲିଆସିଥିଲେ। ମହୁଆଙ୍କ ସହିତ କମିଟି ବୈଠକରେ ଉପସ୍ଥିତି ଥିବା ବିରୋଧୀ ଦଳର ସଦସ୍ୟ ଡାନିସ ଅଲି, ଗିରିଧାରୀ ଯାଦବ, ଉତ୍ତମ କୁମାର ରେଡ୍ଡି ଓ ଅନ୍ୟମାନେ ମଧ୍ୟ ବାହାରକୁ ଚାଲି ଆସିଥିଲେ। ବାହାରକୁ ଆସିବା ପରେ ମହୁଆ ସାମ୍ବାଦିକଙ୍କୁ କହିଥିଲେ ଯେ କମିଟି ପକ୍ଷରୁ ତାଙ୍କୁ ବିଭିନ୍ନ ଅପ୍ରୀତିକର ପ୍ରଶ୍ନ ପଚରାଯାଇଥିଲା।
ଅନ୍ୟପଟେ ସଦାଚାର କମିଟି ଅଧ୍ୟକ୍ଷ ବିନୋଦ ସୋନକର କହିଛନ୍ତି ଯେ ମହୁଆ କମିଟି ଆଗରେ ଅଶାଳୀନ ଭାଷା ପ୍ରୟୋଗ କରିଛନ୍ତି । ମହୁଆଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଖରାପ ଭାଷା ପ୍ରୟୋଗ କରିଥିଲେ। ଏହି ସମୟରେ ଡାନିସ ଅଲି, ଗିରିଧାରୀ ଯାଦବ ଓ ଅନ୍ୟ ବିରୋଧୀ ସାଂସଦମାନେ କମିଟିକୁ ଦୋଷାରୋପ କରିବା ସହିତ ବୈଠକରୁ ଉଠି ଆସିଥିଲେ। ଏହି ପ୍ରସଙ୍ଗରେ କମିଟି ଆଗାମୀ ବୈଠକରେ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ବିଚାର କରିବ ବୋଲି ସେ କହିଛନ୍ତି।