ମୋଦିଙ୍କ କଳା ବାକ୍ସର ତଦନ୍ତ ଦାବି କଲା କଂଗ୍ରେସ

ମୋଦିଙ୍କ କଳା ବାକ୍ସର ତଦନ୍ତ ଦାବି କଲା କଂଗ୍ରେସ

ମୋଦିଙ୍କ କଳା ବାକ୍ସର ତଦନ୍ତ ଦାବି କଲା କଂଗ୍ରେସ
ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୁର୍ଗକୁ ୧୨ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସହ ଆଣିଥିବା ଏକ କଳା ବାକ୍ସକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ତାଙ୍କୁ ଆଜି ଘେରିଛି । ଏହାର ଏକ ୧୪ ସେକେଣ୍ଡର ଭିଡିଓ ମଧ୍ୟ କଂଗ୍ରେସ ଜାରି କରିଛି । ଏଥିସହ କଳାବାକ୍ସରେ କଣ ଥିଲା ତାହାର ତଦନ୍ତ ଲାଗି ଦଳ ଦାବି କରିଛି । କଂଗ୍ରେସ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ସେମାନେ ନିର୍ବାଚନ କମିଶନଙ୍କୁ ଭେଟି ଏହାର ବିଧିବଦ୍ଧ ତଦନ୍ତ ଲାଗି ଲିଖିତ ଭାବେ ଜଣାଇଛନ୍ତି । ସେ କହିଛନ୍ତି ଆମେ ଯେଉଁଠାକୁ ନିର୍ବାଚନ ପ୍ରଚାର କରିବାକୁ ଯାଉଛୁ ଆମକୁ ଯାଂଚ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଯାଂଚ କରାଯିବ ନାହିଁ । ସେହି ବାକ୍ସ ଭିତରେ କଣ ଥିଲା ଓ ତାହା କେଉଁଠାକୁ ଯାଉଥିଲା ତାହାର ଯାଂଚ ହେବା ଦରକାର । ଦେଶବାସୀ ଏକଥା ଜାଣିବାର ଅଧିକାର ରହିଛି । କଂଗ୍ରେସ ପକ୍ଷରୁ ଜାରି ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ଆସିଥିବା ବାୟୁସେନା ହେଲିକପ୍ଟରରୁ କିଛି ଅଧିକାରୀ ଏକ ବଡ କଳା ବାକ୍ସ ବାହାର କରିଥିଲେ । ତା ପରେ ସେହି ବାକ୍ସକୁ ଧରି ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ଜଣ ଅଧିକାରୀ କିଛି ଦୂରରେ ଅପେକ୍ଷା କରି ରହିଥିବା ଏକ ଘରୋଇ ଇନୋଭା ଗାଡିରେ ଲଦିଥିଲେ । ତା ପରେ ଉକ୍ତ ଗାଡିଟି ସେଠାରୁ ଦ୍ରୁତଗତିରେ ପଳାଇଯାଇଥିଲା । ସେହି ସମୟରେ ବାୟୁସେନା ଅଧିକାରୀ ଏନଏସଜି କମାଣ୍ଡେ ଓ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତେ ଦେଖୁଥିଲେ । ଶର୍ମା କହିଛନ୍ତି ଯେଉଁ ଗାଡିରେ କଳାବାକ୍ସ ଲଦାଯାଇଥିଲା ତାହା ପ୍ରଧାନମନ୍ତ୍ରୀଙ୍କ କନଭୟ ଭିତରେ ନଥିଲା । ତେଣୁ ସେ ଗାଡି କାହାର ? ଉକ୍ତ ବାକ୍ସ କେଉଁଆଡେ ଗଲା ? ବାକ୍ସରେ କଣ ଥିଲା? ଏସବୁର ଯାଂଚ କରାଯିବା ଦରକାର । ଯଦି ବାକ୍ସରେ ଟଙ୍କା ନଥିଲା ତେବେ ତଦନ୍ତ ହେଲେ କିଛି ଅସୁବିଧା ନାହିଁ ।ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ମନ୍ତବ୍ୟ ମଧ୍ୟ ଆସିବାରେ ଲାଗିଛି । କେହି ନିର୍ବାଚନ ପାଇଁ ଏଥିରେ କଳାଟଙ୍କା ଆସିଥିବା ଉଲ୍ଲଖ କରିଛନ୍ତି । ଅପରପକ୍ଷରେ ସ୍ଥାନୀୟ ଏସପି ଡକ୍ଟର ଅରୁଣ କେ କହିଛନ୍ତି ଯେ ସେହି ବାକ୍ସରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସାମଗ୍ରୀ ରହିଥିବା ନେଇ ତାଙ୍କୁ ସୂଚନା ମିଳିଛି । ତା ଛଡା ଯେଉଁ ଗାଡିରେ ବାକ୍ସ ରଖାଗଲା ତାହା ପ୍ରଧାନମନ୍ତ୍ରୀଙ୍କ କନଭୟରେ ସାମିଲ ଥିଲା ।