ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟାରୁ ଖରାର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇ ପୂର୍ବାହ୍ନ ୧୧ଟା ପରେ ତାତି ଅସମ୍ଭାଳ ହୋଇପଡ଼ୁଛି। ଏହି ସମୟରେ ରାସ୍ତାଘାଟ ମଧ୍ୟ ଶୂନ୍‌ଶାନ୍‌ ହୋଇଯାଉଛି। ପ୍ରବଳ ତାତି ଯୋଗୁ କାଳବୈଶାଖୀ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରବିବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଅନୁଗୋଳରେ ତାପମାତ୍ରା ୪୨.୭ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀର ୪୨.୫, ତାଳଚେର ୪୨.୩, ଝାରସୁଗୁଡ଼ା ୪୧.୮, ସୋନପୁର ୪୧.୪, ସମ୍ବଲପୁର ୪୧.୧, ଭବାନୀପାଟଣା ୪୧.୦, ହୀରାକୁଦ ୪୦.୯, ମାଲକାନଗିରି ୪୦.୬ ଓ ଭୁବନେଶ୍ୱରରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ଦୁଇଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତା’ପରେ ୨ରୁ ୩ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ। ସୋମବାର ରାଜ୍ୟର ୯ ଜିଲାରେ ସାମାନ୍ୟ ବର୍ଷା ସହ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ା, ବଲାଙ୍ଗୀର, ଅନୁଗୋଳ, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଆଦି ଜିଲାରେ କାଳବୈଶାଖୀ ହେବା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପ୍ରତିଦିନ କାଳବୈଶାଖୀର ସମ୍ଭାବନା ରହୁଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଉଛି।