ଧାମନଗର : ଏଥର ପଦ୍ମ ଓ ଶଙ୍ଖ ଭିତରେ ଘମାଘୋଟ ଲଢେଇ

ଧାମନଗର : ଏଥର ପଦ୍ମ ଓ ଶଙ୍ଖ ଭିତରେ ଘମାଘୋଟ ଲଢେଇ

 ଧାମନଗର : ଏଥର ପଦ୍ମ ଓ ଶଙ୍ଖ ଭିତରେ ଘମାଘୋଟ ଲଢେଇ
ଭଦ୍ରକ : ନାମାଙ୍କନ ପ୍ରକ୍ରିୟା ଶେଷ ହେବା ପରେ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଅନୁଭୂତ ହୋଇଛି । ପ୍ରାର୍ଥୀମାନେ ଏବେ ଗାଁ ମୁହାଁ ହେଲେଣି । ଭୋଟରଙ୍କ ନିକଟରେ ପହଂଚି ନିଜ ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରିବା ସହ ଭୋଟ ଭିକ୍ଷା କରୁଛନ୍ତି । ନାମାଙ୍କନ ପତ୍ର ଦାଖଲ ଶେଷ ପରେ ଧାମନଗର ବିଧାନସଭା କ୍ଷେତ୍ରରେ ରହିଛନ୍ତି ମୋଟ ୮ ଜଣ ପ୍ରତିଦ୍ୱନ୍ଦ୍ୱୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଶାସକ ବିଜୁ ଜନତା ଦଳରୁ ରାଜେନ୍ଦ୍ର ଦାସ (ରାଜୁ), ବିଜେପିର ବିଷ୍ଣୁ ସେଠୀ ଓ ଜାତୀୟ କଂଗ୍ରେସର ବିଦ୍ୟାଧର ଜେନା । ଏହି ୩ ପ୍ରମୁଖ ଦଳ ବ୍ୟତୀତ ବହୁଜନ ସମାଜ ପାର୍ଟିରୁ ବୁଧିରାମ ସାମଲ, କଳିଙ୍ଗ ସେନାର ଶେଷଦେବ ମହାଳିକ, ହିନ୍ଦୁ ମହାସଭାର ପ୍ରସନ୍ନ ଦାସ, ଗଣେଶ ପ୍ରସାଦ ଦାସ ଓ ବାଙ୍କବିହାରୀ ଦାସଙ୍କ ପରି ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ । ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ବିଜେଡିର ରାଜୁ ଓ ବିଜେପିର ବିଷ୍ଣୁଙ୍କ ମଧ୍ୟରେ ମୁଖ୍ୟତଃ ଲଢେଇ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି । ଧାମନଗର ବିଧାନସଭା କ୍ଷେତ୍ର ଭଦ୍ରକ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଏହି ଆସନ ୨୦୦୯ ମସିହାରେ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୋଇଛି । ଯାହାକି ଜିଲାର ଏକମାତ୍ର ସଂରକ୍ଷିତ ବିଧାନସଭା କ୍ଷେତ୍ର । ତିହିଡି ବ୍ଲକ୍ର ୧୩ ଟି ପଂଚାୟତ ଓ ଧାମନଗର ବ୍ଲକ୍ର ୩୧ ପଂଚାୟତକୁ ନେଇ ଏହି ବିଧାନସଭା କ୍ଷେତ୍ର ଗଠିତ । ଏହି ନିର୍ବାଚନ ମଣ୍ଡଳୀର ମୋଟ ମତଦାତାଙ୍କ ସଂଖ୍ୟା ୨ ଲକ୍ଷ ୨୫ ହଜାର ୩୭୪ । ପୂର୍ବରୁ ଏହା କଂଗ୍ରେସର ଏକ ଅଭେଦ୍ୟ ଦୁର୍ଗ ଥିଲା । କାରଣ ଧାମନଗର ବିଧାନସଭା ଇତିହାସରେ କଂଗ୍ରେସ ସର୍ବାଧିକ ୬ ଥର, ଉତ୍କଳ କଂଗ୍ରେସ ୨ ଥର, ଜନତା ଦଳ ୨ ଥର, ଜନତା ଦଳ ଓ ବିଜୁ ଜନତା ଦଳ ୨ ଥର ଲେଖାଏଁ ନିର୍ବାଚନରେ ବିଜୟୀ ହୋଇଥିବାବେଳେ ସ୍ୱତନ୍ତ୍ର ପାର୍ଟି ଓ ସ୍ୱାଧୀନ ବିଧାୟକ ଥରେ ଲେଖାଏଁ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଇତିମଧ୍ୟରେ କଂଗ୍ରେସର ଦୁର୍ଗ ପତନ ଘଟିସାରିଛି । ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନେତ୍ରାନନ୍ଦ ମଲ୍ଲିକ ୨୯ ହଜାର ୮୪୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିବା ସହ ଦଳର ସମ୍ମାନ କିଛିଟା ରକ୍ଷା କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଦଳର ଭୋଟ୍ ୧୨ ହଜାରକୁ ଖସିଆସିଥିଲା । ତେଣୁ ଏହି ଶୋଚନୀୟ ସ୍ଥିତିରୁ ଦଳକୁ କିପରି ରକ୍ଷା କରାଯାଇପାରିବ, ତାହା ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଡା. ବିଦ୍ୟାଧର ଜେନାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ଅପରପକ୍ଷରେ ୫ ବର୍ଷ ପରେ ପୁଣି ଥରେ ବିଜେଡିର ରାଜୁ ଦାସ ଓ ବିଜେପିର ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ୨୦୦୯ ନିର୍ବାଚନରେ ରାଜୁ ବିଷ୍ଣୁଙ୍କୁ ୪ ହଜାର ୯୪୪ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ପରବର୍ତୀ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ବିଷ୍ଣୁ ସେଠୀଙ୍କୁ ୯ ହଜାହରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାୟକ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ମୁକ୍ତିଙ୍କ ବଦଳରେ ରାଜୁଙ୍କ ସହିତ ବିଷ୍ଣୁଙ୍କ ରୋଚକ ମୁକାବିଲା ଦେଖିବାକୁ ମିଳିବ ବୋଲି ଜଣାପଡୁଛି । ବିଗତ କେଇ ବର୍ଷ ହେଲା ଧାମନଗର ବିଜେଡି ରାଜନୀତି ଚର୍ଚ୍ଚାରେ ରହିଆସିଥିଲା । ବିଧାୟକ ମୁକ୍ତି ଓ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ (ବୁବୁନ) ଙ୍କ ମଧ୍ୟରେ ମତଭେଦ ଚରମ ସୀମାରେ ପହଞ୍ôଚଥିଲା । ଯାହାର ପରିଣାମ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଜିଲାର ମୋଟ ୨୮ଟି ଜିଲା ପରିଷଦ ମଧ୍ୟରୁ ୨୪ ଟି ଆସନରେ ଶାସକ ବିଜେଡି ବିଜୟୀ ହୋଇଥିବାବେଳେ, ଧାମନଗର ୪ଟି ଜିଲା ପରିଷଦ ଜୋନ୍ ବିଜେପି ହାତକୁ ଚାଲିଯାଇଥିଲା । ଏଥିସହ ଧାମନଗର ପଂଚାୟତ ସମିତି ମଧ୍ୟ ବିଜେଡିର ହାତଛଡା ହୋଇଥିଲା । କାରଣ ବୁବୁନ ସମାନ୍ତରାଳ ପରିବର୍ତନ ସାମ୍ମୁଖ୍ୟ ଗଠନ କରି ବିଜେପି ସହିତ ନିର୍ବାଚନୀ ବୁଝାମଣା କରିଥିଲେ ଓ ପଂଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ । ଶାସକ ଦଳର ଏହି ଗୋଷ୍ଠୀ କନ୍ଦଳରୁ ଫାଇଦା ନେବାକୁ ବିଷ୍ଣୁ ଅଂଟା ଭିଡିଥିବାବେଳେ ଏବେ ସେଠାରେ ଏକ ନୂତନ ସମୀକରଣ ଦେଖିବାକୁ ମିଳିଛି । କାରଣ ବିଜେଡି ସାଂସଦ ପ୍ରାର୍ତୀ ଭାବେ ମୁକ୍ତିଙ୍କ ସହଧର୍ମିଣୀ ଓ ବିଧାୟକ ପ୍ରାର୍ଥୀ ଭାବେ ମୁକ୍ତିଙ୍କ ସହଧର୍ମିଣୀ ଓ ବିଧାୟକ ପ୍ରାର୍ଥୀ ଭାବେ ରାଜୁଙ୍କୁ ପ୍ରାର୍ଥୀ କରିଥିବାରୁ ଉଭୟ ନେତା ଏବେ ଗୋଟିଏ ମଂଚରେ । ଯାହାକି ବିଜେଡି କର୍ମୀଙ୍କୁ ଉତ୍ସାହିତ କରିଛି । ତେବେ ଏ କ୍ଷେତ୍ରରେ ବୁବୁନ ଫେକ୍ଟର କେତେ ନିର୍ବାଚନୀ ଫଳାଫଳକୁ ପ୍ରଭାବିତ କରିବ, ସେ ସଂପର୍କରେ ଏବେ ମଧ୍ୟ ଅଙ୍କକଷା ଚାଲିଛି । ରାଜୁ ଓ ବୁବୁନଙ୍କ ମଧ୍ୟରେ ସଂପର୍କ ବେଶ୍ ନିବିଡ ଥିଲେ ମଧ୍ୟ ମୁକ୍ତି ବିରୋଧୀ ବୁବୁନ ଏପର୍ଯ୍ୟନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ ବୁବୁନଙ୍କ ଅଧିକାଂଶ ସମର୍ଥକ ଏବେ ରାଜୁଙ୍କ ବିଜୟ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ସେହିପରି ଏହି ଆସନରେ ସାଂସଦ ପ୍ରାର୍ଥୀ ହୋଇଥିବା ବିଧାୟକ ମୁକ୍ତିଙ୍କ ସହଧର୍ମିଣୀ ମଂଜୁଲତାଙ୍କୁ ବିଜୟୀ କରିବାକୁ ତାଙ୍କର ଉଦ୍ୟମ ରାଜୁଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ଅପରପକ୍ଷରେ ବିଜେପି ପ୍ରାର୍ଥୀ ବିଷ୍ଣୁ ଗତ ୨ଟି ନିର୍ବାଚନରେ ପରାଜୟ ବରଣ କରିବା ପରେ ନିଜର ଦୁର୍ବଳତା ସଂପର୍କରେ ନିଶ୍ଚିତ ଆତ୍ମସମୀକ୍ଷା କରିଥିବେ । ସମ୍ଭାବନ୍ୟ ନୂତନ ରାଜନୈତିକ ସମୀକରଣକୁ ନଜରରେ ରଖି ସେ ଏବେ ନିଜର ରଣକୌଶଳ ସ୍ଥିର କରୁଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ସଫଳତାକୁ ମଧ୍ୟ ବିଷ୍ଣୁ ପ୍ରସଙ୍ଗ କରି ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଦେବା ଯୋଜନାରେ ରହିଛନ୍ତି । ଜିଲାର ଏହି ବିଧାନସଭା କ୍ଷେତ୍ରରେ ଅନ୍ୟ ସମାନ ଅପେକ୍ଷା ବିଜେପିର ଭଲ ସଂଗଠନ ରହିଛି । ତେଣୁ ଦଳର ସଂଗଠନ, ମୋଦିଙ୍କ କଲ୍ୟାଣକାରୀ ଯୋଜନା ଓ ନିଜର ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ଆଧାରରେ ବିଷ୍ଣୁ ନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ଅଛନ୍ତି । ତେବେ ଏଥର ଏହି ଆସନରେ ବିଜେପିର ବିଷ୍ଣୁ ଓ ବିଜେଡିର ରାଜୁଙ୍କ ମଧ୍ୟରେ ତୀବ୍ର ମୁକାବିଲା ଦେଖିବାକୁ ମିଳିବ ବୋଲି ସମୀକ୍ଷକଙ୍କ ମତ ।