ହରିୟାଣାରେ ଝୁଲା, ପାଗ ଭିଡ଼ିଲା ବିଜେପି
ହରିୟାଣାରେ ଝୁଲା, ପାଗ ଭିଡ଼ିଲା ବିଜେପି
admin
Oct 25, 2019 - 09:42
Updated: Oct 25, 2019 - 09:42
ଚଣ୍ଡୀଗଡ଼ : ଭୁଲ ହେଲା ଏକଜିଟ ପୋଲ ଆକଳନ । ହରିୟାଣାରେ ବିଜେପି ଏକପାଖିଆ ବିଜୟ ହାସଲ କରିବ ବୋଲି ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଆକଳନ କରିଥିବାବେଳେ ସରକାର ଗଢ଼ିବାର ମ୍ୟାଜିକ ଅଙ୍କ ଛୁଇଁବାରେ ବି ସମର୍ଥ ହୋଇନାହିଁ ଦଳ । ଯାହାକିୁ ବିଜେପିର ତମାମ ନେତାଙ୍କୁ ଚକିତ କରିଛି । ତେବେ ସରକାର ଗଢ଼ିବା ପାଇଁ ବିଜେପି କିନ୍ତୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିବାକୁ ଦଳ ଯୋଜନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏନେଇ ରାଜ୍ୟପାଳଙ୍କ ଠାରୁ ସମୟ ମାଗିଥିବା ଜାଣିବାକୁ ମିଳିଛି ।
୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬ । ତେବେ ହରିୟାଣାର ଭୋଟରମାନେ କୌଣସି ଦଳକୁ ପୂର୍ଣ୍ଣମତ ପ୍ରଦାନ କରିନାହାନ୍ତି । ବିଜେପି ସର୍ବାଧିକ ୪୦ ଆସନରେ ବାଜିମାତ କରିଥିବାବେଳେ କଂଗ୍ରେସକୁ ୩୧ ଆସନ ମିଳିଛି । ଅପରପକ୍ଷରେ ହରିୟାଣା ଲୋକହିତ ପାର୍ଟିକୁ ୧, ଭାରତୀୟ ଜାତୀୟ ଲୋକ ଦଳକୁ ୧ ଆସନ ମିଳିଛି । ତେବେ ସ୍ୱାଧୀନ ଭାବେ ୭ ବିଧାୟକ ଜିଣିବାରେ ସମର୍ଥ ହୋଇଛନ୍ତି । ତେବେ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଆଇଏନଏଲଡ଼ିରୁ ଅଲଗା ହେବା ପରେ ନବଗଠିତ ଜନଜାୟକ ଜନତା ପାର୍ଟି ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ପ୍ରଥମ ବିଧାନସଭା ନିର୍ବାଚନରେ ଦଳ ୧୦ ଆସନ ଜିଣି କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହୋଇଛି ।
ଆଜି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସମେତ ଅନେକ ରାଜ୍ୟର ଉପନିର୍ବାଚନ ଭୋଟ ଗଣତି ଥିଲା । ତେବେ ଏକଜିଟ ପୋଲ ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଓ ଏନଡ଼ିଏ ବିପୁଳ ଭୋଟ ପାଇବ ବୋଲି ଆକଳନ କରାଯାଇଥିଲା । ମହାରାଷ୍ଟ୍ରରେ ଏନଡ଼ିଏ କ୍ଷମତାକୁୁ ଫେରିବ ବୋଲି ଭୋଟଗଣତି ଆରମ୍ଭରୁ ସଂକେତ ମିଳିଥିଲା । କିନ୍ତୁ ହରିୟାଣାରେ ପ୍ରାରମ୍ଭରେ ବିଜେପି ବହୁ ଆଗରେ ଥିଲେ ମଧ୍ୟ ପରେପରେ ତଳକୁ ତଳ ଖସି ଯାଇଥିଲା । ଏମିତିକି ମଧ୍ୟାହ୍ନ ବେଳକୁ ଦଳ ମାତ୍ର ୩୫ ଆସନରେ ଆଗୁଆ ରହିଥିଲା । କିନ୍ତୁ ପରେ ବିଜେପିର ଭୋଟ ବଢ଼ିବା ସହ ଦଳ ୪୦ ଆସନ ଛୁଇଁବାରେ ସମର୍ଥ ହୋଇପାରିଥିଲା ।
ଏକ ଉଲ୍ଳେଖନୀୟ ଘଟଣାକ୍ରମେ ଗୋଟିଏ ଗାଁର ୫ ଜଣ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଦୁଇ ଜଣ ପ୍ରାର୍ଥୀ ଜେଜେପି ଟିକେଟରେ ବିଜୟ ହାସଲ କରିଥିବାବେଳେ ଆଇଏନଏଲଡ଼ି, କଂଗ୍ରେସ ଓ ସ୍ୱାଧୀନ ଭାବେ ଜଣେ ଲେଖାଏଁ ବିଧାୟକ ଭାବେ ନିର୍ବାଚିତ ହେବାରେ ସକ୍ଷମ ହୋଇଛନ୍ତି ।
ହରିୟାଣାରେ ଦଳର ଏଭଳି ସ୍ଥିତିକୁ ଦେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିଜର ସବୁ କାର୍ଯ୍ୟକ୍ରମକୁ ବାତିଲ କରି ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ନୂଆଦିଲ୍ଲୀ ଡକାଇଥିଲେ । ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଆଲୋଚନା ପରେ ସରକାର ଗଢ଼ିବା ପାଇଁ ବିଜେପି ଦାବି କରିବ ବୋଲି ଶାହା ସଂକେତ ଦେଇଥିଲେ । ଫଳରେ ଖଟ୍ଟର ଏନେଇ ରାଜ୍ୟପାଳଙ୍କ ଠାରୁ ସମୟ ମଧ୍ୟ ଲୋଡ଼ିଛନ୍ତି ।
ଅପରପକ୍ଷରେ ଦଳର ବିପର୍ଯ୍ୟୟକୁ ଦେଖି ହରିୟାଣା ବିଜେପି ସଭାପତି ସୁବାସ ବରାଳା ଇସ୍ତଫା ଦେଇଥିବାନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ସେ ଏହାକୁ ଖଣ୍ଡନ କରିଥିଲେ ।
ସୂଚନାଯୋଗ୍ୟଯେ, ଗତ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ୪୭ ଆସନ ହାସଲ କରି ସରକାର ଗଢ଼ିଥିଲା । ଯେତେବେଳେକି କଂଗ୍ରେସକୁ ମାତ୍ର ୧୭ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ଆଇଏନଏଲଡ଼ି ୧୯ ଆସନ ପାଇବାରେ ସମର୍ଥ ହୋଇଥିଲା । କିନ୍ତୁ ଏଥର ଆଇଏନଏଲଡ଼ିକୁ ଶକ୍ତ ଧକ୍କା ଲାଗିଛି । ଦଳର ବିଦ୍ରୋହୀ ନେତାମାନେ ନୂତନ ଦଳ ଜେଜେପି ବ୍ୟାନରରେ ଲଢ଼ି ବେଶ ଭଲ ପ୍ରଦର୍ଶନ କରିପାରିଛନ୍ତି ।