ଭୋଜନ ବେଳେ ମାନନ୍ତୁ ଏହିସବୁ ନିୟମ

ଭୋଜନ ବେଳେ ମାନନ୍ତୁ ଏହିସବୁ ନିୟମ

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି । ସେହିପରି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ ପଡିଥାଏ । ଯେମିତିକି କେତେବେଳେ ଖାଇବେ, କେଉଁ ଦିଗକୁ ମୁହଁ କରି ଖାଇବେ ? ତେବେ ଆସନ୍ତୁ ଜାଣିବା କେଉଁ ଦିଗକୁ ମୁହଁ କରି ଖାଇଲେ କେଉଁ ଫଳ ମିଳିଥାଏ । ଶାସ୍ତ୍ର ଅନୁଯାୟୀ, ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ସବୁଠାରୁ ଉତ୍ତମ ହୋଇଥାଏ । କାରଣ ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ମାନସିକ ଚାପ ଦୂର ହେବା ସହିତ ଖାଦ୍ୟ ଭଲଭାବେ ହଜମ ହୋଇଥାଏ । ଯାହାଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ସେହିପରି ଯେଉଁମାନଙ୍କର ପାଚନ ଜନିତ ସମସ୍ୟା ରହିଛି, ସେମାନେ ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଉତ୍ତମ ।

ଅନ୍ୟପଟେ ଧନ, ବିଦ୍ୟା ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ କରିବାକୁ ଚାହୁଁଥିଲେ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଭଲ । କ୍ୟାରିୟର ସଚେତନ ଯୁବପିଢି ଓ ବିଦ୍ୟାର୍ଥୀ ମଧ୍ୟ ଏହି ଦିଗକୁ ମୁହଁ କରି ଭୋଜନ କରିବା ଶୁଭଦାୟକ ହୋଇଥାଏ ।

ପଶ୍ଚିମ ଦିଗକୁ ଲାଭର ଦିଗଭାବେ ବିବେଚନା କରାଯାଏ । ବ୍ୟବସାୟ, ଚାକିରି କ୍ଷେତ୍ରରେ ଉନ୍ନତି ଚାହୁଁଥିଲେ ଏହି ଦିଗକୁ ମୁହଁ କରି ଭୋଜନ କରନ୍ତୁ । କିନ୍ତୁ ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଆଦୌ ଠିକ୍‌ ନୁହେଁ । କାରଣ ଏହା ଯମରାଜଙ୍କର ଦିଗ ଅଟେ । ଏହି ଦିଗକୁ ମୁହଁ କରି ଖାଇଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ସହ ମାତାପିତାଙ୍କ ପ୍ରତି ବିପଦ ଥାଏ ବୋଲି ବିଶ୍ୱାସ ରହିଛି ।