ଅରିନ୍ଦମଙ୍କୁ ଲଲିପପ ଧରାଇବ କି ବିଜେଡ଼ି

ଅରିନ୍ଦମଙ୍କୁ ଲଲିପପ ଧରାଇବ କି ବିଜେଡ଼ି

ଭୁବନେଶ୍ୱର: ଦିନ ଥିଲା ବିଜୁ ଜନତା ଦଳରେ ଓଲିଉଡ଼ ଷ୍ଟାରଙ୍କର ବେଶ ଦବଦବା ପରିଲକ୍ଷିତ ହେଉଥିଲା  ।  ଓଲିଉଡ଼ର ଆଗଧାଡ଼ିର ଷ୍ଟାରମାନେ ଶଙ୍ଖ ଫୁଙ୍କିବା ପାଇଁ ଲାଇନ ଲଗାଉଥିଲେ  । ସିଦ୍ଧାନ୍ତ ମହାପାତ୍ର, ପ୍ରଶାନ୍ତ ନନ୍ଦ, ଆକାଶ ଦାସ ନାୟକ, ଅନୁଭବ ମହାନ୍ତିଙ୍କ ଭଳି ତାରକାମାନେ ବିଜେଡ଼ିରୁ ବେଶ କିଛି ଫାଇଦା ବି ପାଇଛନ୍ତି  । ହେଲେ ଓଲିଉଡ଼ ହିରୋ ଅରିନ୍ଦମ ରାୟ ଦଳ ପାଇଁ ଦିନରାତି ମେହନତ କରୁଥିଲେବି ତାଙ୍କୁ ବାରବାର ନିରାଶ ହେବାକୁ ପଡ଼ିଛି  । ନା ତାଙ୍କୁ ବଡ଼ ପଦବୀ ମିଳିଛି, ନା ଦଳ ତାଙ୍କୁ ଟିକେଟ ଦେଇଛି  । ନିର୍ବାଚନ ଆସିଲେ ଅରିନ୍ଦମ ବେଶ ଚର୍ଚ୍ଚାରେ ରହିଥା’ନ୍ତି  । କେବେ କଟକ ଲୋକସଭା ଟିକେଟ ତ କେବେ କୋରେଇ ଅବା କଟକ ବାରବାଟୀ ବିଧାନସଭା ଟିକେଟ ମିଳିବ ବୋଲି ଚର୍ଚ୍ଚା ହୋଇଥାଏ  । ଆଉ କେତେବେଳେ ସେ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥାଏ  । କିନ୍ତୁ ଅରିନ୍ଦମଙ୍କ ପାଇଁ କ୍ଷମତାର ପଦ୍ମ କିନ୍ତୁ ଘୁଂଚିଘୁଂଚି ଚାଲିଥିବା ଦେଖିବାକୁ ମିଳୁଛି  ।


ଚବିଶ ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବାବେଳେ ପୁଣି ଅରିନ୍ଦମଙ୍କୁ ନେଇ ପୁରୁଣା ଗ୍ରାମଫୋନ ରେକଡର଼୍ ବାଜିବା ଆରମ୍ଭ କରିଛି  । କିଛି ମାସ ତଳେ ସେ ଯାଜପୁର କିମ୍ବା କୋରେଇରୁ ଲଢ଼ିପାରନ୍ତି ବୋଲି କୁହାଯାଉଥିଲା  । ଏମିତିକି ଦେବାଶିଷ ସାମନ୍ତରାୟ ପାରାଦୀପ ଉପରେ ନଜର ରଖିଥିବାରୁ କଟକ ବାରବାଟୀ ବିଜେଡ଼ି ଟିକେଟ ରେସରେ ଅରିନ୍ଦମ ରହିଥିଲେ  । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇଥିବାରୁ ତାଙ୍କ ଟିକେଟ ଥୁଆ ବୋଲି ସମର୍ଥକମାନେ ଆଶା ବାନ୍ଧିଥିଲେ  । କିନ୍ତୁ ପୂର୍ବ ନିର୍ବାଚନ ଭଳି ଏଥର ମଧ୍ୟ ବିଜେଡ଼ି ତାଙ୍କୁ ଭଣ୍ଡେଇ ଦେବବୋଲି  ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେଉଛି  । 
ଏଠାରେ ସୂଚାଇ ଦିଆଯାଇପାରେଯେ, ଓଲିଉଡ଼ ତାରକା ପ୍ରଶାନ୍ତ ନନ୍ଦ ବିଜେଡ଼ି ସହଯୋଗରେ ଥରେ ବିଧାୟକ ହୋଇଥିବାବେଳେ ଥରେ ରାଜ୍ୟସଭାକୁ ବି ଯାଇଛନ୍ତି  । ସେହିପରି ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ହେବାର ସୌଭାଗ୍ୟ ପାଇଛନ୍ତି  । ଆକାଶ ଦାସ ନାୟକ କୋରେଇରୁ ଥରେ ବିଧାୟକ ହୋଇଥିବାବେଳେ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରୁ ସାଂସଦ ହେବାରେ ସଫଳ ହୋଇଛନ୍ତି  । ଯଦି ଏହି ଅଭିନେତାମାନଙ୍କୁ ବିଜେଡ଼ି ସୁଯୋଗ ଦେଇସାରିଛି ତେବେ ଅରିନ୍ଦମଙ୍କୁ କାହିଁକି ଅଣଦେଖା କରାଯାଉଛି ସେନେଇ ଚର୍ଚ୍ଚା ହେବା ସ୍ୱାଭାବିକ  ।

୨୦୦୯ରେ ଅରିନ୍ଦମ ବିଜେଡ଼ିରେ ଯୋଗ ଦେଇଥିଲେ  । ସେତେବେଳେ ପ୍ରଣବ ପ୍ରକାଶ ଦାସଙ୍କର ଆଜିଭଳି ପତିଆରା ବି ନଥିଲା  । ସେହିପରି ଅରିନ୍ଦମ ଖାଲି ଦଳର ତାରକା ପ୍ରଚାରକ ନଥିଲେ, ସଂଗଠନ ସହ ବି ଜଡ଼ିତ ହୋଇଆସୁଛନ୍ତି  । କେତେକ ନିର୍ବାଚନମଣ୍ଡଳୀ ପାଇଁ ତାଙ୍କୁ ପର୍ଯ୍ୟବେକ୍ଷକ ବି କରାଯାଇଥିଲା  । ପ୍ରଣବଙ୍କ ସହ ପାରିବାରିକ ସମ୍ପର୍କ ହେବାପରେ ଅନ୍ୟ ଷ୍ଟାରଙ୍କ ଠାରୁ ଦଳରେ ତାଙ୍କର କ୍ରେଜ ବଢ଼ିବ ବୋଲି ଆଶା କରାଯାଉଥିଲା  । ପ୍ରତି ନିର୍ବାଚନ ବେଳେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇ ଦଳ ନୀରବ ରହିବାକୁ ବାଧ୍ୟ କରିଥାଏ  । କିନ୍ତୁ ୨୦୧୪, ୨୦୧୯ରେ ଅରିନ୍ଦମ ନିରାଶ ହୋଇଥିବାବେଳେ ଏବେ ୨୦୨୪ ଉପରେ ନଜର ରହିଛି  । ଅରିନ୍ଦମଙ୍କୁ ଲଲିପପ ଧରାଇ ଦଳ ସନ୍ତୁଷ୍ଟ କରୁଛି ନା ଅରିନ୍ଦମ ଲଲିପପ ଛାଡ଼ି ନୂଆ ଗେମ କରିବେ ତାହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।