କଂଗ୍ରେସ କର୍ମୀଙ୍କୁ ଛୁରୀ ଭୁଷିଲେ ବିଜେଡ଼ି କର୍ମୀ

କଂଗ୍ରେସ କର୍ମୀଙ୍କୁ ଛୁରୀ ଭୁଷିଲେ ବିଜେଡ଼ି କର୍ମୀ

ଭୁବନେଶ୍ୱର : ନିର୍ବାଚନ ସରିଗଲାଣି । ଆଉ ଦିନ କେଇଟା ପରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ହେଲେ ଏବେବି କେତେକ ଅଂଚଳରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ନବରଙ୍ଗପୁରରେ ଜଣେ ବିଜେଡ଼ି କର୍ମୀ ରାଜନୈତିକ ଆକ୍ରୋଶ ରଖି ଜନୈକ କଂଗ୍ରେସ କର୍ମୀଙ୍କୁ ଛୁରୀ ମାରି ଲହୁଲୁହାଣ କରିଦେଇଛନ୍ତି । ନନ୍ଦାହାଣ୍ଡି ବ୍ଲକ ଦହଣାଗାଁରେ ଏଭଳି ଘଟଣା ଘଟିଛି । ସଂଜୀବ କୁମାର ମିଶ୍ର ନାମକ ଜଣେ କଂଗ୍ରେସ କର୍ମୀଙ୍କୁ ବିଜେଡ଼ି କର୍ମୀ ସନ୍ତୋଷ ମିଶ୍ର ଛୁରୀ ଭୁଷି ଦେଇଛନ୍ତି । ଛୁରୀଟି ସଂଜୀବଙ୍କ ମୁଣ୍ଡ ପଛପଟ ଦେଇ ବେକ ଭିତରକୁ ପଶି ଯାଇଛି । ଗୁରୁତର ଅବସ୍ଥାରେ ସଂଜୀବ ଚିକିତ୍ସିତ ହେଉଥିବାବେଳେ ସନ୍ତୋଷ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ନିର୍ବାଚନ ପ୍ରଚାର ବେଳେ ଉଭୟ ସନ୍ତୋଷ ଓ ସଂଜୀବଙ୍କ ମଧ୍ୟରେ ତିକ୍ତତା ରହିଥିଲା । ଗୁରୁବାର ଅପରାହ୍ନ ସାଢେ଼ ୩ଟାରେ ଦହଣା ଗାଁର ତ୍ରିନାଥ ମଣ୍ଡପ ନିକଟରେ ତାସ ଖେଳ ଚାଲିଥିଲା । ସେଠାରେ ସଂଜୀବ ଉପସ୍ଥିତ ଥିଲେ । ଏହି ସମୟରେ ସେହି ଗାଁର ବିଜେଡ଼ି କର୍ମୀ ସନ୍ତୋଷ ପହଁଚି ପାଟିତୁଣ୍ଡ କରିଥିଲେ । ଉଭୟଙ୍କ ମଧ୍ୟରେ ରାଜନୀତିକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସନ୍ତୋଷ ତାଙ୍କ ଘରୁ ଏକ ଛୁରୀ ଆଣି ସଂଜୀବଙ୍କ ମୁଣ୍ଡର ପଛପଟକୁ ଆକ୍ରମଣ କରିଥିଲେ । ଛୁରୀଟି ସଂଜୀବଙ୍କ ମସ୍ତିଷ୍କ ଦେଇ ବେକ ଭିତରକୁ ପଶି ଯାଇଥିଲା । ପରେ ସଂଜୀବଙ୍କୁ ଗ୍ରାମବାସୀ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ ।