ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା: ଆରମ୍ଭ ହୋଇଯିବ ହାଇଭୋଲଟେଜ ମ୍ୟାଚ
ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଏସିଆ କପରେ ଆରମ୍ଭ ହୋଇଯିବ ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଦଳ ଭାରତ ଓ ପାକିସ୍ତାନ । ସମୟ ଯେତିକି ପାଖଉଛି ଉତ୍କଣ୍ଠା ସେତିକି ବଢୁଛି । ଏହି ମ୍ୟାଚକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସାରା ବିଶ୍ବର କ୍ରୀଡାପ୍ରେମୀ । ଆଜି ଅପରାହ୍ନ ୩ଟା ସମୟରେ ଶ୍ରୀଲଙ୍କାର କାଣ୍ଡି ସହର ପାଲ୍ଲେକେଲ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏସିଆ କପରେ ପ୍ରଥମ ମ୍ୟାଚ ଖେଳି ବିଜୟୀ ହେବାକୁ ପୁରା ପ୍ରସ୍ତୁତ ହୋଇଛି ଟିମ ଇଣ୍ଡିଆ । ପୂର୍ବରୁ ଏସିଆ କପରେ ଭାରତର ପଲ୍ଲା ଭାରି ରହିଥିବା ରେକର୍ଡ ରହିଥିବା ବେଳେ ଆଜିର ମ୍ୟାଚ ପାଇଁ ମ୍ୟାନ ଇନ ବ୍ଲୁର ଖେଳାଳିଙ୍କ ମନୋବଳ ଦୃଢ ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ସେହିପରି ଭାରତ ଠାରୁ ବିଜୟ ଛଡାଇବାକୁ ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି ପାକିସ୍ତାନ । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଚୂଡାନ୍ତ ଏକାଦଳ ଘୋଷଣା କରିଛି । ଟସ ପରେ ଭାରତୀୟ ଦଳ ଚୂଡାନ୍ତ ଏକାଦାଶ ଘୋଷଣା କରିବ ।
ଏସିଆ କପରେ ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନେପାଳ ମଧ୍ୟରେ ମୁକାବିଲା ହୋଇଥିଲା ଏଥିରେ ପାକିସ୍ତାନ ବିଜୟୀ ହୋଇଥିଲା । ବାବର ଆଜମ ଓ ଇଫତିକାରଙ୍କ ଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ପାକିସ୍ତାନ ଏସିଆ କପ ୨୦୨୩ରେ ବିଜୟରୁ ଅଭିଯାନ ଆରମ୍ଭ କରିଥଲା । ତେଣୁ ଆଜିର ମ୍ୟାଚକୁ ନିଜ ସପକ୍ଷରେ ରଖି ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବ ପାକିସ୍ତାନ ।