ଲୋକସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିଜେଡି ନିରବ କାହିଁକି ? ଜାଣନ୍ତୁ କ’ଣ କହିଛନ୍ତି ବିଜୟ ପଟ୍ଟନାୟକ

ଲୋକସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିଜେଡି ନିରବ କାହିଁକି ? ଜାଣନ୍ତୁ କ’ଣ କହିଛନ୍ତି ବିଜୟ ପଟ୍ଟନାୟକ

କଟକ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ଦେଶର ୧୮ଟି ଅଣ ବିଜେପି ଦଳ ପ୍ରତିବାଦ କରୁଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ବିଜେଡି ନିରବ କାହିଁକି?, ବିଜେଡି କ’ଣ ଏହାକୁ ସମର୍ଥନ କରୁଛି ? ଦଳ ତାହାର ଜବାବ ତୁରନ୍ତ ରଖୁ ବୋଲି କଟକଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ତରବରିଆ ଭାବେ ରାହୁଲ ଗାନ୍ଧୀଙ୍କ ଶୋକସଭା ପଦ ରଦ୍ଦ ଓ ସରକାରୀ କ୍ବାର୍ଟର୍ସ ତୁରନ୍ତ ଖାଲି କରିବା ନିର୍ଦ୍ଦେଶ ଗଣତନ୍ତ୍ରର କଣ୍ଠରୋଧ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ଏହି ପ୍ରସଙ୍ଗରେ ବିଜେଡିର ନିରବତାକୁ ବିଜେପି-ବିଜେଡି ସମଭାବାପନ୍ନ ବୋଲି ପ୍ରମାଣିତ ହୋଇଥିବା କହିଛନ୍ତି। ଓଡ଼ିଶାରେ ବି ସୂଚନା ଅଧିକାର କର୍ମୀ, ସାମ୍ବାଦିକଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଉଛି। ସ୍ବାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି। ବିଜେଡି ବି ବିଜେପି ଭଳି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ କ୍ଷତି ପହଞ୍ଚାଇ ସ୍ବେଚ୍ଛାଚାରୀ ହୋଇଯାଉଛି। କିନ୍ତୁ ଗଣତାନ୍ତ୍ରର ସୁରକ୍ଷା ପାଇଁ ସାଧାରଣ ଲୋକ ଚୁପ୍ ବସିବେ ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ସାଧାରଣ ଲୋକ ଚୁପ୍ ବସିବେ ନାହିଁ। ଗଣତନ୍ତ୍ର ବିପଦରେ ଥିବା ବାର୍ତ୍ତାକୁ କଂଗ୍ରେସ ପ୍ରତି ଗାଁ ଓ ଘରେ ପହଞ୍ଚାଇବ। ଏହାର ପ୍ରଭାବ ନିଶ୍ଚିତ ରୂପେ ଆଗାମୀ ଦିନରେ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଓଡ଼ିଶା ରାଜ୍ୟ କଂଗ୍ରେସ କମିଟିର ଆହ୍ବାନ କ୍ରମେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ଲିଙ୍କରୋଡ୍ ସ୍ଥିତ କାର‌୍ୟ୍ୟାଳୟରେ ହୋଇଥିଲା। ଏଥିରେ କଟକ ଜିଲ୍ଲା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ସେ ଆଦାନୀ ସମୂହ ବିରୋଧରେ ସ୍ବର ଉଠାଇବା ପରେ ରହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରାଯାଇଛି ବୋଲି କହିଥିଲେ। ଦେଶର ଏକମାତ୍ର ଦଳ ବିଜେଡି ମୋଦୀ ସରକାର ନିଷ୍ପତ୍ତିକୁ ସମର୍ଥନ କରୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ। ଆଗାମୀ ଦିନରେ ଏହାର କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପସଭାପତି ମନୋଜ ବିଶ୍ବାଳ, ଜିଲ୍ଲା ମୁଖପାତ୍ର ଅଶୋକ ସ୍ବାଇଁ, ପ୍ରିୟଜିତ ରାୟ, ବିପ୍ଳବ ଶିଳାଦିତ୍ୟ, ଶିଶିର ରଥ ପ୍ରମୁଖ ଉପସ୍ଥିତ ଥିଲେ।