କୃଷକ ରାଲିକୁ ନେଇ ସୀମା ସିଲ୍

କୃଷକ ରାଲିକୁ ନେଇ ସୀମା ସିଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ପୁଣି ରାଜରାସ୍ତାକୁ ଓହ୍ଳାଇଛନ୍ତି କୃଷକ ସଂଗଠନ । ମଙ୍ଗଳବାର  ହଜାର ହଜାର କୃଷକ ହରିୟାଣା ଓ ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଦିଲ୍ଲୀ ପୋଲିସ ଉତ୍ତର-ପୂର୍ବ ଦିଲ୍ଲୀ ଓ ପଡୋଶୀ ଉତ୍ତରପ୍ରଦେଶ ସୀମାରେ ୧୪୪ ଲାଗୁ କରିଛି। ସେହିପରି ଶାହାଦରା ଏବଂ ଗାନ୍ଧୀ ନଗରରେ ଧାରା ୧୪୪ ଲାଗୁ କରାଯିବା ସହ ମାର୍ଚ୍ଚ ୧୧ ତାରିଖ ପର୍ୟ୍ୟନ୍ତ ବଡ଼ ସମାବେଶ କରିବାକୁ ବାରଣ କରିଛି ସିଟି ପୋଲିସ ।

ଦିଲ୍ଲୀ ଚଲୋ ଯାତ୍ରା ପୂର୍ବରୁ ଆମ୍ବାଲା, ଜିନ୍ଦ ଏବଂ ଫତେହାବାଦ ଜିଲ୍ଲା ସହ ପଞ୍ଜାବ-ହରିୟାଣା ସୀମାକୁ ମଧ୍ୟ ସିଲ୍ କରାଯାଇଛି । ପ୍ରାୟ ୨୦୦ କୃଷକ ସଂଗଠନ ଦ୍ୱାରା ଦିଲ୍ଲୀ ଚଲୋ ପଦଯାତ୍ରା ଆୟୋନ କରାଯିବା ପୂର୍ବରୁ ଏପରି ନିଷ୍ପତ୍ତି ନିଆଯାଇଛି । ଫସଲର ସର୍ବନିମ୍ନ ସହୟକ ମୂଲ୍ୟ ‘ଏମଏସପି’ ଗ୍ୟାରେଣ୍ଟି ଆଇନ, ପୂର୍ବ ଆନ୍ଦୋଳନରେ ଚାଷୀ ବିରୋଧରେ ହୋଇଥିବା ମାମଲାକୁ ପ୍ରତ୍ୟାହାର ସମେତ ବିଭିନ୍ନ ଦାବିରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ ।

ରବିବାର ଦିଲ୍ଲୀ ପୋଲିସ ପୁନର୍ବାର ନିର୍ଦ୍ଦେଶନାମା ଜାରି କରିଥିଲା । ନିର୍ଦ୍ଦେଶ ଅନୁଯାୟୀ, ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ବିରୋଧ ପ୍ରଦର୍ଶନକାରୀଙ୍କୁ ନେଇ ଆସୁଥିବା ଟ୍ରାକ୍ଟର, ଟ୍ରଲି, ବସ୍, ଟ୍ରକ୍ ଆଦିକୁ ରାଜଧାନୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସେହିପରି ଆନ୍ଦୋଳନକାରୀମାନେ ପଦଯାତ୍ରା ସମୟରେ ହାତରେ କୌଣସି ମାରଣାସ୍ତ୍ର ଧରିବାକୁ ବାରଣ କରାଯାଇଛି ।