ଅନୁପ୍ରବେଶ ଅପେକ୍ଷାରେ ୪୫ ଆତଙ୍କବାଦୀ

ଅନୁପ୍ରବେଶ ଅପେକ୍ଷାରେ ୪୫ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା(ଏଲଓସି) ଆରପଟେ ପାକିସ୍ତାନ କେତେକ ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ କାର୍ଯ୍ୟକ୍ଷମ କରାଇଛି । ଏସବୁ ଲଞ୍ଚ ପ୍ୟାଡରେ ପାଖାପାଖି ୪୫ ଜଣ ଜୈଶ-ଏ -ମହମ୍ମଦ ଆତଙ୍କବାଦୀ ରହିଛନ୍ତି । ସେମାନେ ଭାରତରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି । ରମଜାନ ଅବସରରେ ଜାମ୍ମୁ-କାଶ୍ମୀରରେ ଜୈଶ ମୁଖ୍ୟ ମାସୁଦ ଆଝାର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଗୁଇନ୍ଦା ସୂଚନା ଦିଆଯାଇଛି । ତେବେ ଏଭଳି ସ୍ଥିତିରେ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସେନାର ହାତ ବାନ୍ଧି ଦେବାକୁ ଉଦ୍ୟମ କରିଛନ୍ତି । ରମଜାନ ସମୟରେ ସେନାକୁ ସଂଯତ ରଖିବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଏହି ସମୟରେ ଯବାନମାନେ ସର୍ଚ୍ଚ ଅପରେଶନ ଏବଂ କାର୍ଯ୍ୟାନୁଷ୍ଠାନ ନନେବା ନିମନ୍ତେ ସେନାକୁ ପରାମର୍ଶ ଦେବାକୁ ମୁଫତି କେନ୍ଦ୍ରକୁ କହିଛନ୍ତି । ପ୍ରକାଶ ଯେ, ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଆରପଟେ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ହଟାଇ ଦେଇଥିଲା । ଏବେ ଗ୍ରୀଷ୍ଣ ଋତୁ ଚାଲିଥିବାରୁ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବା ସହଜ ହେବ । ତେଣୁ ଏହି ସମୟରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଉଦ୍ୟମ ଚଳାଇଥିବା ଗୁଇନ୍ଦା ସୂଚନା ମିଳିଛି ।