ମନ୍ତ୍ର ଜପ ପ୍ରସନ୍ନ କରିଥାଏ ଈଶ୍ୱରଙ୍କୁ

ମନ୍ତ୍ର ଜପ ପ୍ରସନ୍ନ କରିଥାଏ ଈଶ୍ୱରଙ୍କୁ

ଈଶ୍ୱରଙ୍କ ଆରାଧନାର ବିଭିନ୍ନ ଉପାୟ ମଧ୍ୟରେ ମନ୍ତ୍ର ଜପ ପ୍ରମୁଖ ମାଧ୍ୟମ । ମନ୍ତ୍ର ତୁରନ୍ତ ମନକୁ ଏକାଗ୍ର କରିବା ସହିତ ପ୍ରଭାବ ପକାଇଥାଏ । ମନ୍ତ୍ର ଜପ ନିର୍ଭୁଲ ଭାବେ କରିବା ଜରୁରି । ପୁଣି ମନ୍ତ୍ର ଜପରେ ସଂଖ୍ୟାର ଭୂମିକା ରହିଛି । ଯେପରି କେତେଥର ବା କେତେସଂଖ୍ୟାରେ ମନ୍ତ୍ର ଜପ କରିବ । ଏଥିପାଇଁ ମନ୍ତ୍ର ଜପ କରିବା ସମୟରେ ମାଳାର ବିଶେଷ ପ୍ରୟୋଗ କରାଯାଏ । ଏହାଦ୍ୱାରା ଯେତିକି ଥର ମନ୍ତ୍ରଟିକୁ ଜପ କରାଯିବା ଆବଶ୍ୟକ ସେଥିରେ ଏପଟସେପଟ  ହୋଇନଥାଏ ।

ଏହି ନିଷ୍ଠା ଈଶ୍ୱରଙ୍କୁ ପ୍ରସନ୍ନ କରିପାରିଥାଏ । ପୁନଶ୍ଚ ମାଳାରେ ରହିଥିବା ଦାନା ବା ଗୋଟିର ସଂଖ୍ୟା ମଧ୍ୟ ନିୟମମୁତାବକ ରହିବା ଦରକାର । ଯେପରିକି ଗୋଟିଏ ମାଳାରେ ଦାନା ସାଧାରଣତଃ ୧୦୮ଟି ରହିଥାଏ । ଅତିକମ୍‌ରେ ୨୭ଟି ଦାନା ରହିବା ଉଚିତ୍‌ । କେତେକ ମାଳାରେ ୭୪ଟି ଦାନା ମଧ୍ୟ ରହିଥାଏ । ମାଳା ବ୍ୟବହାରରେ ମଧ୍ୟ ନିୟମ ରହିଛି । ଯେପରିକି ଯେଉଁ ମାଳା ଧରି ଆପଣ ମନ୍ତ୍ର ଜପ କରିବେ, ସେହି ମାଳାକୁ କେବେହେଁ ଧାରଣ କରିବେ ନାହିଁ । ନିଜସ୍ୱ ମାଳାକୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେବେ ନାହିଁ କିମ୍ବା ଅନ୍ୟର ମାଳାରେ ଜପ କରିବେ ନାହିଁ ।

ମାଳାକୁ ସୁରକ୍ଷିତ ସ୍ଥାନରେ ରଖିବା ମଧ୍ୟ ଆବଶ୍ୟକ । କେହି ଏହାକୁ ଅପବିତ୍ର ଅବସ୍ଥାରେ ଯେପରି ସ୍ପର୍ଶ ନକରିବେ ସେପରି ସ୍ଥାନରେ ରଖିବେ । ଜପ ବେଳେ ମାଳାକୁ ଘୋଡ଼ାଇ ରଖି ଜପ କରିବାର ନିୟମ ରହିଛି । ଏଣୁ ଅନେକ ମୁଣା ଭିତରେ ମାଳା ରଖି ସେହି ମୁଣା ମଧ୍ୟରେ ହାତ ପୁରାଇ ମାଳା ଜପିବାର ଲକ୍ଷ୍ୟ କରାଯାଏ । ନଚେତ୍‌ କୌଣସ ବସ୍ତ୍ର ଘୋଡ଼ାଇ ଜପ କରାଯାଇପାରିବ । 

ମାଳା ବିଭିନ୍ନପ୍ରକାରର ରହିଛି । ରୁଦ୍ରାକ୍ଷ ମାଳା, ସ୍ପଟିକ ମାଳା,ହଳଦୀ ମାଳା, ଚନ୍ଦନ (ଶ୍ୱେତ,ରକ୍ତ) ମାଳା, ତୁଳସୀ ମାଳା ଇତ୍ୟାଦି । ପ୍ରତ୍ୟେକ ଦେବତାଙ୍କ ପାଇଁ ନିଦ୍ଦିଷ୍ଟ ମାଳାରେ ଜପ କରାଯାଏ । ତେବେ ରୁଦ୍ରାକ୍ଷ ମାଳା ସବୁ ଦେବଦେବୀଙ୍କ ମନ୍ତ୍ର ଜପ ପାଇଁ ବ୍ୟବହାର କରାଯାଇପାରିବ । ଭଗବାନ୍‌ ମହାଦେବଙ୍କ ଲାଗି ମହାମୃତ୍ୟୁଞ୍ଜୟ ମନ୍ତ୍ର ହେଉ ଅବା ଅନ୍ୟ କୌଣସି ମନ୍ତ୍ର ଏହାକୁ କେବଳ ରୁଦ୍ରାକ୍ଷ ମାଳାରେ ଜପ କଲେ, ମହାଦେବ ବିଶେଷ ପ୍ରସନ୍ନ ହୋଇଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରୀମାନେ କହିଥାନ୍ତି ।

ଏକାଗ୍ରତା,ଶାନ୍ତି ତଥା ସମ୍ପନ୍ନତା ଲାଗି ସ୍ପଟିକ ମାଳାରେ ମନ୍ତ୍ର ଜପ କରାଯାଏ । ମା’ଲକ୍ଷ୍ମୀ ଏବଂ ମା’ ସରସ୍ୱତୀ ସ୍ପଟିକ ମାଳାରେ ମନ୍ତ୍ର ଜପ ଦ୍ୱାରା ସନ୍ତୁଷ୍ଟ ହୋଇଥାନ୍ତି । ସେହିପରି ହଳଦୀ ମାଳାରେ ମା’ବଗଳାମୁଖୀ ଏବଂ ବୃହସ୍ପତିଙ୍କ ମନ୍ତ୍ର ଜପ ହୁଏ । କିଛି ବିଶେଷ ମନୋକାମନା ପୂରଣ ଲକ୍ଷ୍ୟରେ ମନ୍ତ୍ର ଜପ କରୁଥିଲେ ହଳଦୀ ମାଳା ବ୍ୟବହାର କରାଯିବା ଉଚିତ ।

ଚନ୍ଦନ ଶୀତଳ ଏବଂ ସୁଗନ୍ଧମୟ । ଏହା ଶ୍ରୀକୃଷ୍ଣଙ୍କ ପ୍ରିୟ । ଏଣୁ ଶ୍ୱେତ ଚନ୍ଦନକାଠରେ ତିଆରି ମାଳା ସର୍ବଦା କୃଷ୍ଣ ମନ୍ତ୍ର ଜପରେ ବ୍ୟବହାର କରନ୍ତୁ । ମାତ୍ର ରକ୍ତ ଚନ୍ଦନ ମାଳାରେ କେବଳ ଦେବୀଙ୍କର ମନ୍ତ୍ର ଜପ କରାଯାଏ । ଭଗବାନ୍‌ ବିଷ୍ଣୁଙ୍କୁ ଜପ ଲାଗି ତୁଳସୀ ମାଳା ସବୁଠୁ ଉପଯୁକ୍ତ । କାରଣ ବିଷ୍ଣୁ ତୁଳସୀ ପ୍ରିୟ ।