ସାଙ୍ଗ କୁ ସାହାଯ୍ୟ କରିବା ପଡ଼ିଲା ମହଙ୍ଗା

ସାଙ୍ଗ କୁ ସାହାଯ୍ୟ କରିବା ପଡ଼ିଲା ମହଙ୍ଗା

ଦିନେ ସୁଟ୍ ବୁଟ୍ ପିନ୍ଧି ସଫ୍ଟୱେରର ଦୁନିଆରେ ରାଜ୍ କରୁଥିବା ଯୁବକ ଜଣେ ବନ୍ଧୁଙ୍କ ପ୍ରତାରଣାର ଶିକାର ହେଇ ରାସ୍ତାରେ ଲିଟି ଚୋଖା ବିକୁଛନ୍ତି । କୁହାଯାଏ ଜଣେ ଭଲ ବନ୍ଧୁର ସହଯୋଗ ମିଳିଲେ ଯେକେହି ସଫଳତାର ଶିଖର ଛୁଇଁପାରେ । ଏହାର ଉଦାହରଣ ଖୋଜିଲେ ହଜାର ହଜାର ମିଳିବ। କିନ୍ତୁ ବନ୍ଧୁ ଯେ ବଇରି ସାଜେ ଏବଂ ସଫଳତାର ଶିଖରରୁ ବନ୍ଧୁକୁ ଗୋଡ଼ ଧରି ତଳକୁ ଟାଣିଆଣେ, ତଳିତଳାନ୍ତ କରିଦିଏ, ତାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକରେ ।

ଇଏ ହେଉଛନ୍ତି କଟକ କେଶରପୁର ଅଞ୍ଚଳର ରାକେଶ ସିଂ । କଟକ କେଶରପୁରରେ ରହୁଥିବା ୩୦ ବର୍ଷୀୟ ରାକେଶଙ୍କ ବାପା ବିହାରର ବାସିନ୍ଦା । କିନ୍ତୁ ଏଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିବାରୁ ଦୀର୍ଘ ବର୍ଷ ଧରି ସେମାନେ କଟକରେ ରହିଆସୁଛନ୍ତି । ଦୁଇ ପୁଅଙ୍କ ମଧ୍ୟରେ ରାକେଶ ବଡ଼ । ମେଧାବୀ ରାକେଶ ଏସ୍‌ସିବି ମେଡିକାଲ୍ ପବ୍ଲିକ୍ ସ୍କୁଲ୍‌ରେ ପଢାସାରି ଇପ୍‌ସାର୍‌ରେ ବିବିଏ କରିଥିଲେ । ପରେ ତାଙ୍କୁ ନିଯୁକ୍ତି ମିଳିଥିଲା । ଭାରତ ମାଟ୍ରିମୋନି, ଆଇବିଏମ୍, ଥୁଙ୍କ୍ ଆଣ୍ଡ୍ ଲର୍ଷ ପ୍ରାଇଭେଟ୍ ଲିମିଟେଡ୍ ଭଳି ନାମୀ କମ୍ପାନୀରେ ଟାକିରି ଆରମ୍ଭ କରିଥିଲେ ସେ । ସବୁ କିଛି ଠିକ୍‌ଠାକୁ ଚାଲିଥିଲା । ବିବାହ କରି ବାପା, ମା'ଙ୍କୁ ସାଥ୍‌ରେ ନେଇ ରାକେଶଙ୍କ ପରିବାର ଖୁସିରେ ଥିଲେ । ଏତିକି ବେଳେ ତାଙ୍କ ପରିବାର ଉପରକୁ ଗୋଟି ଆସିଲା ବିପଦର କଳା ବାଦଲ । ରାକେଶଙ୍କ ସହ ଛୋଟ ବେଳୁ ମିଶୁଥିବା ଭୁବନେଶ୍ୱରର ଜଣେ ବନ୍ଧୁ ତାଙ୍କୁ ଫସାଇଦେଲେ । ବନ୍ଧୁଙ୍କ ମିଠା କଥା ଓ ଆର୍ଥିକ ଦୁଃସ୍ଥିତିକୁ ଆଖରେ ଦେଖୁ ରାକେଶ ଏକ ବଡ ଭୁଲ୍ କରିବସିଲେ । ବନ୍ଧୁଙ୍କ ବାରମ୍ବାର ଅନୁରୋଧକୁ ଟାଳି ନପାରି ତାଙ୍କୁ ରଣମୁକ୍ତ କରିବାକୁ ନିଜେ ଲୋନ୍‌ କଲେ । ଋଣର ପରିମାଣ ଥିଲା ୧୪ଲକ୍ଷ ଟଙ୍କା । ନିଜ ଆକାଉଣ୍ଟରୁ ଲୋନ୍‌ କରି ୧୪ଲକ୍ଷ ଟଙ୍କା ବନ୍ଧୁଙ୍କୁ ସହାୟତା କଲେ ରାକେଶ । ସର୍ତ୍ତଥିଲା, ପ୍ରତିମାସରେ କିସ୍ତି ଅର୍ଥ ବନ୍ଧୁ ତାଙ୍କ ଆକାଉଣ୍ଟରେ ଜମା କରିବେ ଏବଂ ଋଣ ଶୁଝି ଚାଲିବେ । କିନ୍ତୁ କିଛି ମାସ ପରେ ବନ୍ଧୁ ସର୍ତ୍ତ ମାନିଲେ ନାହିଁ । ଋଣ ଦେଇଥିବା ବ୍ୟାଙ୍କକୁ ଋଣ ଗ୍ରହୀତା ଭାବେ ରାକେଶଙ୍କୁ ସବୁ ଅର୍ଥ ଶୁଝିବାକୁ ଥିଲା । ବନ୍ଧୁଙ୍କୁ ଅନୁରୋଧ କରି କିଛି ସୁଫଳ ନପାଇବାରୁ ସେ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ତେବେ ପୁଲିସଠାରୁ ମଧ୍ୟ ତାଙ୍କୁ ନ୍ୟାୟ ମିଳି ପାରିନଥିଲା । କ୍ରମେ ବ୍ୟାଙ୍କ ରିକଭରି ଟିମ୍ ତାଙ୍କୁ ହଇରାଣ କରିବାକୁ ଲାଗିଲେ । ସେ କାମ କରୁଥିବା କମ୍ପାନୀ ଅଫିସରେ ରିକଭରି ଟିମ୍ ବାରମ୍ବାର ପହଞ୍ଚିଲେ । କମ୍ପାନୀର ସମ୍ମାନହାନି ହେବାରୁ ତାଙ୍କୁ ଚାକିରିରୁ ଛଟେଇ କରି ଦିଆଗଲା । ଦୁଇଟି କମ୍ପାନୀରୁ ଛଟେଇ ହେବା ପରେ ତାଙ୍କୁ ଆଉ କେଉଁଠି ନିଯୁକ୍ତି ସୁଯୋଗ ବି ମିଳିଲା ନାହିଁ । 

ଅନ୍ୟପଟେ ଋଣ ବୋଝ, ମାନସିକ ଦୁଶ୍ଚିନ୍ତା ଓ ପରିବାର ଚଳାଇବାର ଦାୟିତ୍ଵ ତାଙ୍କୁ ଭାରାକ୍ରାନ୍ତ କରିପକାଇଲା । ପରିବାର ସଦସ୍ୟଙ୍କ ପେଟକୁ ଦି' ମୁଠା ଆହାର ଦେବାକୁ ରାକେଶ ଶେଷକୁ ଷ୍ଟ୍ରିଟ୍ ଫୁଡ୍ ବିକିବାକୁ ରାସ୍ତାକୁ ଓହ୍ଲାଇ ପଡ଼ିଲେ । ବର୍ତ୍ତମାନ ବାରବାଟୀ ଷ୍ଟାଡିୟମ୍ ଛକରେ ‘ଲିଟି ଓ୍ୱାଲେ’ ନାମରେ ଏକ ଲିଟି ଚୋଖା ଉଠାଦୋକାନ କରି ରାକେଶ ଏବେ ଘର ଚଳାଉଛନ୍ତି। ଗ୍ରାହକଙ୍କୁ ମିଠା କଥା କହି ଦିନକୁ ୫୦ ପ୍ଲେଟ୍ ଲିଟି ଚୋଖା ବିକିବା ନେଇ ଆଦୌ ଲଜ୍ଜାବୋଧ କରୁନାହାନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ରାସ୍ତାରେ ଗାଡ଼ିରେ ଯାଉଥିବା ସମୟରେ ରାକେଶ ରାସ୍ତାରେ ଗୋଟେ ପୋଷ୍ଟର ଧରି ନ୍ୟାୟ ଆଶାରେ ଛିଡା ହୋଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଗାଡ଼ି ଅଟକାଇ ରାକେଶ ଙ୍କୁ ଡାକି ତାଙ୍କ ପାଖରୁ ପୋଷ୍ଟର ଟି ନେଲେ। ହେଲେ ରାକେଶ ଙ୍କୁ ଏବେ ବି  ନ୍ୟାୟ ଅପେକ୍ଷାରେ ‘ଲିଟି ଓ୍ୱାଲେ’ ରାକେଶ ସିଂ । ତେବେ ଏଠି ଦେଖିବା କୁ ବାକି ରହିଲା ରେକେଶଙ୍କୁ କେବେ ନ୍ୟାୟ ମିଳୁଛି ଏବଂ ତାଙ୍କୁ ଫସେଇ ଥିବା ବନ୍ଧୁ କେବେ ପୋଲିସ୍ ହାତରେ ଧରା ପଡୁଛି।