କୋହଲି-ଗମ୍ଭୀର ଝଗଡ଼ା : ଉଭୟଙ୍କ ମ୍ୟାଚ୍‌ ଫି ୧୦୦% କଟିଲା

କୋହଲି-ଗମ୍ଭୀର ଝଗଡ଼ା : ଉଭୟଙ୍କ ମ୍ୟାଚ୍‌ ଫି ୧୦୦% କଟିଲା

ଲକ୍ଷ୍ନୌ: ଭାରତର ତାରକା ବ୍ୟାଟର ବିରାଟ କୋହଲି ଓ ପୂର୍ବତନ ପ୍ରାରମ୍ଭିକ ବ୍ୟାଟର ତଥା ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପୁଣି ଥରେ ଝଗଡ଼ା ହୋଇଥିବା ଦେଖିବାକୁ ମିଳିଛି। ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମ୍ୟାଚ୍‌ ଶେଷ ହେବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍‌କୁ ଆର୍‌ସିବି ୧୮ ରନ୍‌ରେ ଜିତିଥିଲା।

ଲକ୍ଷ୍ନୌର ବ୍ୟାଟିଂ ବେଳେ ନବୀନ ଉଲ୍‌ ହକ୍‌ଙ୍କ ସହିତ କୋହଲିଙ୍କ ବଚସା ହୋଇଥିଲା। ମ୍ୟାଚ୍‌ ଶେଷ ହେବା ପରେ ଯେତେବେଳେ ଦୁଇ ଦଳର ଖେଳାଳିମାନେ ପରସ୍ପର ସହ ହାତ ମିଳାଉଥିଲେ, ସେତେବେଳେ କୋହଲିଙ୍କ ହାତକୁ ଗମ୍ଭୀର ଛିଞ୍ଚାଡି ଦେଇଥିବା ଭଳି ଅଙ୍ଗଭଙ୍ଗି କରିଥିଲେ। ପରେ ନବୀନ ଉଲ୍‌ ହକ୍‌ଙ୍କ ସହିତ ମଧ୍ୟ ବାକ୍ୟ ବିନିମୟ ହୋଇଥିବା ଦେଖାଯାଇଥିଲା। ଶେଷରେ କୋହଲି ଓ କାଇଲ୍‌ ‌ମାୟର୍ସ କିଛି ଆଲୋଚନା କରୁଥିବା ସମୟରେ ଗମ୍ଭୀର ଏଥିରେ ପ୍ରତିବନ୍ଧକ ସାଜିଥିଲେ ଓ ‌ମାୟର୍ସଙ୍କୁ ଟାଣିଆଣି ଥିଲେ। ଏହି ସମୟରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯାହାକି କିଛି ସେକେଣ୍ଡ ମଧ୍ୟରେ ଉଗ୍ର ରୂପ ନେଇଥିଲା।

ଏପରିକି ଦୁଇ କ୍ରିକେଟରଙ୍କୁ ରୋକିବାକୁ ଦଳୀୟ ସାଥୀମାନେ ବହୁ ଉଦ୍ୟମ କରିଥିବା ଦେଖାଯାଇଥିଲା। ପରେ ଘଟଣା ସଂପର୍କରେ କୋହଲି ଓ କେଏଲ୍‌ ରାହୁଲ ମଧ୍ୟ କିଛି ସମୟ ପାଇଁ ଆଲୋଚନା କରିଥିଲେ। ଶେଷ ଥର ପାଇଁ ଏହି ଦୁଇ ଦଳ ବେଙ୍ଗାଲୁରୁରେ ମ୍ୟାଚ୍‌ ଖେଳିଥିଲେ। ସେଥିରେ ଲକ୍ଷ୍ନୌ ଶେଷ ବଲ୍‌ରେ ବିଜୟୀ ହୋଇଥିଲା ଏବଂ ଗମ୍ଭୀର ଦର୍ଶକମାନଙ୍କୁ ଚୁପ୍‌ ରହିବା ପାଇଁ ପାଟିରେ ଆଙ୍ଗୁଠି ଦେଇ ପଡ଼ିଆରେ ଏପଟ ସେପଟ ହୋଇଥିବା ଦେଖାଯାଇଥିଲା। ତେଣୁ ସେହି ମ୍ୟାଚ୍‌ର ପ୍ରତିଫଳନ ଲକ୍ଷ୍ନୌରେ ଦେଖିବାକୁ ମିଳିଥିବା ଆର୍‌ସିବି ପକ୍ଷରୁ କୁହାଯାଇଛି। ଖେଳ ଚାଲୁଥିଲା ବେଳେ ଓ ମ୍ୟାଚ୍‌ ଶେଷ ହେବା ପରେ ଉଭୟ କୋହଲି ଓ ଗମ୍ଭୀର ସେମାନଙ୍କ ବ୍ୟବହାର ଦ୍ବାରା ଆଇପିଏଲ୍‌ ଆଚରଣ ବିଧିର ଧାରା ୨.୨୧ କୁ ଉଲ୍ଲଙ୍ଗନ କରିଥିବା ସ୍ବୀକାର କରିଛନ୍ତି।

ଏହି ଉଲ୍ଲଙ୍ଘନ ଲେଭଲ-୨ ଅଧୀନରେ ଆସୁଥିବାରୁ ଉଭୟଙ୍କ ପୂରା ମ୍ୟାଚ୍‌ ଫି’ କାଟିଦିଆଯିବାକୁ ଆଇପିଏଲ୍‌ ନିଷ୍ପତ୍ତି ନେଇଛି। ଏହି ଦୁଇଜଣଙ୍କ ବ୍ୟତୀତ ନବୀନ ଉଲ୍‌ ହକ୍ ଆଇପିଏଲ୍‌ ଆଚରଣ ବିଧି ଧାରା ୨.୨୧ର ଲେଭଲ-୧ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କର ୫୦ ପ୍ରତିଶତ ମ୍ୟାଚ୍‌ ଫି କାଟିଦିଆଯାଇଛି।