ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଆଗତ ହୋଇଛି । ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକର ଟିଏମସି ସାଂସଦ ମୋହୁଆ ମୋଇତ୍ରାଙ୍କ ବହିଷ୍କାର ସୁପାରିଶ ସମ୍ପର୍କିତ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟ ଉପସ୍ଥାପନ ପରେ ଗୃହରେ ପ୍ରବଳ ହୋହଲ୍ଲା କରିଛନ୍ତି ବିରୋଧୀ । ଯେଉଁଥିପାଇଁ ବାଚସ୍ପତି ଓମ୍‌ ବିର୍ଲା ଅପରାହ୍ନ ୨ଟା ପର୍ୟ୍ୟନ୍ତ ଗୃହକାର୍ୟ୍ୟ ମୁଲତବୀ ଘୋଷଣା କରିଛନ୍ତି ।
ଏଥିକ୍ସ ବା ସଦାଚାର କମିଟିର ଏହି ରିପୋର୍ଟ ଡିସେମ୍ବର ୪ ତାରିଖରେ ଲୋକସଭାରେ ଉପସ୍ଥାପନ ହେବାର ଥିଲା । କିନ୍ତୁ ଟିଏମ୍‌ସି ସାଂସଦଙ୍କ ବହିଷ୍କାର ନିଷ୍ପତ୍ତି ପୂର୍ବରୁ କମିଟିର ସୁପାରିଶ ଉପରେ ନିମ୍ନ ସଦନରେ ବିସ୍ତୃତ ଚର୍ଚ୍ଚା କରିବାକୁ ବିରୋଧୀ ସଦସ୍ୟ ଦାବି କରିଥିଲେ । ତେଣୁ ସେଦିନ ରିପୋର୍ଟ ଆଗତ ହୋଇପାରି ନଥିଲା । ଏହାକୁ ନେଇ ଗୁରୁବାର ବିଏସ୍‌ପି ସାଂସଦ ଦାନିଶ ଅଲ୍ଲୀ କହିଥିଲେ ଯେ, ଯଦି ରିପୋର୍ଟ ହୋଇଛି, ତାହେଲେ ଆମେ ଏହା ଉପରେ ଚର୍ଚ୍ଚା କରିବାକୁ ଜୋର ଦେବୁ । ଏହି ଦୃଷ୍ଟିରୁ ଏଥିକ୍ସ କମିଟି ରିପୋର୍ଟକୁ ନେଇ ଆଜି ଗୃହ ବେଶ ସରଗରମ ରହିପାରେ ।