ସରକାରଙ୍କ ବଡ଼ ପଦକ୍ଷେପ:ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ଶୁଭାରମ୍ଭ

ସରକାରଙ୍କ ବଡ଼ ପଦକ୍ଷେପ:ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ଶୁଭାରମ୍ଭ

ନୂଆଦିଲ୍ଲୀ: ମେଟ୍ରୋରେ ଯାତ୍ରା କରିବା କିମ୍ବା ଏଟିଏମ୍‌ରୁ ନଗଦ ଟଙ୍କା ଉଠାଇବା ପାଇଁ ଆମେ ବିଭିନ୍ନ ପ୍ରକାରର କାର୍ଡ ବ୍ୟବହାର କରିଥାଉ। ଏହା ବ୍ୟତୀତ, ଅଲଗା ଅଲଗା ସେବା ପାଇବା ପାଇଁ ଭିନ୍ନ ଭିନ୍ନ କାର୍ଡ ବ୍ୟବହାର କରାଯାଇଥାଏ । ଏହି କାରଣରୁ ଆମକୁ ୱାଲେଟ୍‌ରେ ଅନେକ କାର୍ଡ ରଖିବାକୁ ପଡିଥାଏ। ତେଣୁ ଲୋକଙ୍କୁ ଏ ସବୁ ପ୍ରକାର ଝିନ୍‌ଝଟ୍‌ରୁ ମୁକ୍ତି ଦେବା ଲାଗି କେନ୍ଦ୍ର ସରକାର ଏକ ଭଲ ସୁବିଧା ଆରମ୍ଭ କରିଛନ୍ତି। ସରକାର ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ଶୁଭାରମ୍ଭ କରିଛନ୍ତି, ଯାହାଦ୍ବାରା ଲୋକମାନେ ପ୍ରତ୍ୟେକ ସେବା ପାଇଁ କେବଳ ଗୋଟିଏ କାର୍ଡ ବ୍ୟବହାର କରିପାରିବେ।

ଏହି କାର୍ଡ ଆସିବା ପରେ ଲୋକଙ୍କୁ ଆଉ ୱାଲେଟ୍‌ରେ ଅନେକ ପ୍ରକାରର କାର୍ଡ ରଖିବା ଆବଶ୍ୟକ ପଡିବନାହିଁ। ଏହି କାରଣରୁ ଏହି କାର୍ଡଗୁଡ଼ିକୁ ‘ୱାନ୍ ନେସନ୍ ୱାନ୍ କାର୍ଡ କୁହାଯାଉଛି। ପାର୍କିଂ, ଟୋଲ୍, ମେଟ୍ରୋ, ଟ୍ରେନ୍ ଟିକେଟ୍, ବସ୍ ଟିକେଟ୍ ଭଳି ଅନେକ ସ୍ଥାନରେ ଆପଣ ଏହି କାର୍ଡ ବ୍ୟବହାର କରିପାରିବେ। ଯଦି ଆପଣ ଏଟିଏମରୁ ନଗଦ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏହି କାର୍ଡ ବ୍ୟବହାର କରିପାରିବେ। ଏଥିରେ ଆପଣ କୌଣସି ଓଟିପି ଏବଂ ପିନ୍ ବିନା ୨୦୦୦ ଟଙ୍କା ପର୍ୟ୍ୟନ୍ତ ଅର୍ଥ କାରବାର କରିପାରିବେ। ଯଦି ଆପଣ ମେଟ୍ରୋରେ ଭ୍ରମଣ କରୁଥାନ୍ତି ତେବେ ଆପଣ ଏହି କାର୍ଡ ମାଧ୍ୟମରେ ଆରାମରେ ଯାତ୍ରା କରିପାରିବେ।
ଏହି ସୁବିଧା ପରେ, ମେଟ୍ରୋରେ ଟିକେଟ୍ କିମ୍ବା ଟୋକେନ୍ ପାଇବା ପାଇଁ ଆପଣଙ୍କୁ ଲମ୍ବା ଧାଡିରେ ଠିଆ ହେବାର ଆବଶ୍ୟକତା ପଡିବ ନାହିଁ । ଏହି କାର୍ଡ଼ରେ ଆପଣଙ୍କୁ କ୍ୟାସବ୍ୟାକ୍ର ଲାଭ ମଧ୍ୟ ମିଳିପାରିବ। ଯଦି ଆପଣ ମେଟ୍ରୋରେ ଯାତ୍ରା କରୁଥାନ୍ତି, ତେବେ ଆପଣ ଏହି କାର୍ଡ଼କୁ ବ୍ୟବହାର କରି ୧୦ ରୁ ୨୦ ପ୍ରତିଶତ ରିଆତି ପାଇପାରିବେ। ଆପଣ ଏହି କାର୍ଡକୁ ଆପଣଙ୍କ ବ୍ୟାଙ୍କରୁ ନେଇପାରିବେ। ଏଥିପାଇଁ ଆପଣଙ୍କୁ ପାନ୍ କାର୍ଡ, ଆଧାର କାର୍ଡ ଏବଂ ୨ ଫଟୋଗ୍ରାଫ୍ ସହ ଆବେଦନ କରିବାକୁ ପଡିବ। କାର୍ଡ ପାଇଁ ଆବେଦନ କରିବା ପରେ, ଏହି କାର୍ଡ ଆପଣଙ୍କ ଘରେ ପହଞ୍ଚିଯିବ। ଯଦି ଆପଣ ପେଟିଏମ୍ ମାଧ୍ୟମରେ ଏହି କାର୍ଡ ପାଇଛନ୍ତି, ତେବେ ଆପଣଙ୍କୁ ୨୫୦ ଟଙ୍କା ଚାର୍ଜ ଦେବାକୁ ପଡିବ।