ଧର୍ମେନ୍ଦ୍ରଙ୍କୁ ଏମିତି ଟାର୍ଗେଟ କଲେ ପ୍ରଣବ

ଧର୍ମେନ୍ଦ୍ରଙ୍କୁ ଏମିତି ଟାର୍ଗେଟ କଲେ ପ୍ରଣବ

ଭୁବନେଶ୍ବର : ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଉଥିବା ନେତା ନିଜର ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ  ଟାର୍ଗେଟ କରୁଛନ୍ତି । ଏହି କ୍ରମରେ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରର୍ଥୀ ପ୍ରଣବପ୍ରକାଶ ଦାସ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ୧୦ ବର୍ଷ ଧରି କେନ୍ଦ୍ରରେ ମନ୍ତ୍ରୀ ରହିଲେଣି, କିନ୍ତୁ ଲୋକଙ୍କ ଦୁଃଖ ଦୁର୍ଦ୍ଧଶା ତାଙ୍କୁ ଦେଖାଗଲା ନାହିଁ। ଲୋକଙ୍କ ଅନ୍ୟକଥା ତ ଛାଡନ୍ତୁ ସାମନ୍ୟ ରାସ୍ତ କାମଟିଏ ମଧ୍ୟ କେନ୍ଦ୍ରମନ୍ତ୍ରୀ ଥାଇ ସାରିପାରିଲେ ନାହିଁ। ଯେଉଁଥି ପାଇଁ ପ୍ରତି ଦିନ ଅକାଳରେ ଲୋକଙ୍କ ପ୍ରାଣ ଯାଉଛି। ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ମଧ୍ୟ ଧର୍ମେନ୍ଦ୍ରଙ୍କ ଅପାରଗତା ପାଇଁ ଯାଇ ସାରିଲାଣି। କିନ୍ତୁ ଆଶ୍ଚର୍ୟ୍ୟର ବିଷୟ ଏତେବଡ଼ ବିଫଳତା ସତ୍ତ୍ବେ  ଆପଣ ସମ୍ବଲପୁରବାସୀଙ୍କ ପାଖକୁ ଆସି ମୁହଁ ଦେଖାଇ ପାରୁଛନ୍ତି।ବିଜେଡି ସଂଗଠନ ସମ୍ପାଦକ ତଥା ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏପରି ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି।

ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ଜରିଆରେ ଶ୍ରୀ ଦାସ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ଗତ ୧୦ ବର୍ଷର ବିଫଳତା ସମ୍ବଲପୁରବାସୀଙ୍କ ପାଖରେ ରହିଛି। ଏହି ୧୦ ବର୍ଷ ମଧ୍ୟରେ ଆପଣ କଟକ-ସମ୍ବଲପୁର ଏନ୍‌ଏଚ-୫୫ର ଅବସ୍ଥା ସୁଧାରି ପାରିଲେ ନାହିଁ। ଆପଣଙ୍କର ଅପାରଗତା ଓ ସ୍ଥାଣୁତା ପାଇଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ମୂଲ୍ୟବାନ ଜୀବନ ଚାଲିଯାଇଛି। କାହାର ଅକ୍ଷମତା ପାଇଁ ଏତେ ଲୋକଙ୍କ ଜୀବନ ଗଲା? ଏଥିପାଇଁ କିଏ ଦାୟୀ ବୋଲି ଶ୍ରୀ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।
ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଏତେ ଦିନ ଧରି କ୍ଷମତାରେ ରହି ଆପଣ ଲୋକଙ୍କ ପାଇଁ କ’ଣ କଲେ। ଯେଉଁଠି ବର୍ଷ ବର୍ଷ ଧରି ସାମାନ୍ୟ ରାସ୍ତାଟିଏ ମରାମତି କରିବା ଆପଣଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ ସେଠି ଅନ୍ୟ କାମ କଥା ନ କହିବା ଭଲ। ଏହା ଠାରୁ ବଡ଼ ବିଫଳତା ଆଉ କ’ଣ ହୋଇପାରେ? ଯେଉଁ ସମ୍ବଲପୁରବାସୀଙ୍କ ଜୀବନ ରେଖାକୁ ଆପଣ ୧୦ ବର୍ଷ ଧରି ବିପର୍ୟ୍ୟସ୍ତ କରି ରଖିଛନ୍ତି, ସେମାନଙ୍କୁ ଏବେ କେମିତି ମୁହଁ ଦେଖାଇବେ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ୧୦ ବର୍ଷ ଧରି ଆପଣଙ୍କ ବିଫଳତା ସମ୍ବଲପୁରବାସୀ ଦେଖିଛନ୍ତି ଆଉ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ୍‌ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି।

ଉଲ୍ଲେଖଯୋଗ୍ୟ ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ସଂଯୋଗ କରୁଥିବା କଟକ-ସମ୍ବଲପୁର ଏନ୍‌ଏଚ୍‌-୫୫କୁ ଓଡ଼ିଶାର ଜୀବନ ରେଖା ବୋଲି କୁହାଯାଏ। ରାସ୍ତାର ଅବସ୍ଥା ଏପରି ହେଲାଣି ଯେ ଲୋକ ଏହି ବାଟ ଦେଇ ଯିବା ଆସିବା କରିବାକୁ ଭୟ କରୁଛନ୍ତି। ୧୫/୨୦ ମିନିଟ୍‌ ରାସ୍ତା ଅତିକ୍ରମ କରିବା ଲାଗି ଘଣ୍ଟା ଘଣ୍ଟା ସମୟ ଲାଗୁଛି। ଏନ୍‌ଏଚ୍‌-୫୫ ଦେଇ ରୋଗୀଙ୍କୁ ନେଇ କଟକ ଏସ୍‌ସିବି, ଭୁବନେଶ୍ୱର ସ୍ଥିତ ଏମ୍ସ ସମେତ ବିଭିନ୍ନ ଡାକ୍ତରଖାନା ଯାଉଥିବା ଆମ୍ବୁଲାନ୍ସ ରାସ୍ତା ଖରାପ ପାଇଁ ଅତ୍ୟନ୍ତ ମନ୍ଥର ଗତିରେ ଯାଉଛି ଅବା ଭିଡ଼ ଭିତରେ ଫସି ଯାଉଛି। ଅନେକ ସମୟରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସରେ ହିଁ ରୋଗୀର ପ୍ରାଣ ବାୟୁ ଉଡିଯାଉଛି। ମରଣଯନ୍ତା ପାଲଟିଥିବା ସମ୍ବଲପୁର-କଟକ ଏନ୍‌ଏଚ୍‌-୫୫ର ଦୂରାବସ୍ଥା ହେତୁ ପ୍ରତି ଦିନ ନୀରିହ ଜନତା ପ୍ରାଣ ହରାଉଛନ୍ତି। ବିନା କାରଣରେ ଅନେକ ପରିବାର ଉଜୁଡ଼ି ଯାଉଛି। ଏନ୍‌ଏଚ୍‌-୫୫କୁ ଅବସ୍ଥା ସୁଧାରିବା ପାଇଁ କୌଣସି ଆନ୍ତରିକତା ପ୍ରକାଶ ନ ପାଇବା ଜନତାଙ୍କ ମଧ୍ୟରେ ଆକ୍ରୋଶ ଭରି ଦେଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ ଲଗାତାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବାରମ୍ବାର ଆକ୍ରମଣ କରି ଆସୁଛି। ଯେଉଁ କାମ କିଛି ମାସ ଭିତରେ ଶେଷ ହେବା କଥା ତାହା ୮ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଅନୁଗୁଳ ଜିଲ୍ଲାର ବାସିନ୍ଦା ଥିବା ଶ୍ରୀ ପ୍ରଧାନ ଏହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ସୁଦ୍ଧା ଏହାର ଅବସ୍ଥା ସୁଧାରିବା ଦିଗରେ ଯତ୍ନବାନ୍‌ ନଥିବା ବିଜେଡି ଅଭିଯୋଗ କରିବା ସହିତ ତାଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି।