ସାପୁଆ ନଦୀରେ ୨୦ ଫୁଟର ଘାଈ
ଆଠଗଡ଼: ସାପୁଆ ନଦୀରେ ୨୦ ଫୁଟର ଘାଈ । ଆଠଗଡ ଧୁରୁଷିଆ ପଞ୍ଚାୟତର ରମ୍ପାବନ୍ଧ ଠାରେ ଘାଈ ସୃଷ୍ଟି । ମହାନଦୀର ଜଳସ୍ତର ବଢିବା ଯୋଗୁଁ ବ୍ୟାକ ଓ୍ୱାଟର ସାପୁଆ ରେ ପଶୁଛି ବନ୍ୟାଜଳ । ଘାଇ ଯୋଗୁଁ ଧୁରୁଷିଆ , ଘଣ୍ଟିଖାଲ , କଖଡି , ମଞ୍ଚେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁ ବିଲରେ ପଶିଲା ପାଣି । ସେପଟେ ଘଟଣା ସ୍ଥଳରେ ସ୍ଥିତି ଯାଞ୍ଚ କଲେ କଟକ ଏଡିଏମ ଉମାକାନ୍ତ ରାଜଙ୍କ ସହ ଆଠଗଡ ଉପଜିଲ୍ଲାପାଳ ଓ ତହସିଲଦାର ଆଠଗଡ ।
କଟକ ମହାନଦୀ ମୁଣ୍ଡଳିଠାରେ ଆଜି ସକାଳେ ପ୍ରତି ସେକେଣ୍ଡରେ ୭ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉପର ସ୍ରୋତରେ ଜଳସ୍ତର ୯୨ ଫୁଟ ଥିବାବେଳେ ତଳସ୍ତରରେ ୮୮ ଫୁଟ ରହିଛି। ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ।
ବନ୍ୟା ଜଳ ପ୍ରବାହକୁ ଦୃଷ୍ଟିରେ ରଖି ଝଜଉଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା। ନୟାଗଡ଼ ଓ କଟକରେ ବନ ଜଳ ଅଧିକ କ୍ଷତି ଘଟାଇବା ଆଶଙ୍କା ଥିବାରୁ ଏହି ୨ ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଛି। ବିଶେଷକରି ଦୁର୍ବଳ ନଦୀ ବନ୍ଧ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀ ଫୁଲିବା ପରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଦୁର୍ବଳ ନଦୀବନ୍ଧ ସ୍ଥାନକୁ ଜଗିବା ସହ ପାଟ୍ରୋଲିଂ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଥାଉକି, ଲଗାଣ ବର୍ଷା ହେତୁ ସାରା ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବିଭିନ୍ନ ନଦୀର ଜଳସ୍ତର ବି ବଢିଛି । ବିଶେଷ କରି ୧୫ ଜିଲ୍ଲାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ମହାନଦୀର ବଡ ବନ୍ୟା ଆଶଙ୍କ ଦେଖାଦେଇଛି । ଏନେଇ ରାଜ୍ୟସରକାର ବି ଆଲର୍ଟରେ ଅଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।