୭୫ ଲକ୍ଷ କାଳିଆ ହିତାଧିକାରୀଙ୍କ ପାଇଁ ଲୋଡ଼ା ୩୨୩୪ କୋଟି : କୃଷି ଗଣନା ରିପୋର୍ଟ ଚାପି ରଖିଛି ପରିସଂଖ୍ୟାନ ବିଭାଗ

୭୫ ଲକ୍ଷ କାଳିଆ ହିତାଧିକାରୀଙ୍କ ପାଇଁ ଲୋଡ଼ା ୩୨୩୪ କୋଟି : କୃଷି ଗଣନା ରିପୋର୍ଟ ଚାପି ରଖିଛି ପରିସଂଖ୍ୟାନ ବିଭାଗ

୭୫ ଲକ୍ଷ କାଳିଆ ହିତାଧିକାରୀଙ୍କ ପାଇଁ ଲୋଡ଼ା ୩୨୩୪ କୋଟି : କୃଷି ଗଣନା ରିପୋର୍ଟ ଚାପି ରଖିଛି ପରିସଂଖ୍ୟାନ ବିଭାଗ
ଭୁବନେଶ୍ୱର : ଜଣେ ହେଲେ ବି ଯୋଗ୍ୟ ବ୍ୟକ୍ତି କାଳିଆ ଯୋଜନାରୁ ବାଦ୍ ପଡ଼ିବେ ନାହିଁ । ଏହାକୁ ନବୀନ ସରକାରଙ୍କ ଗୁରୁମନ୍ତ୍ର ବିବେଚନା କରାଯାଇ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଏଥିପାଇଁ ଚଳିତ ବର୍ଷ ବଜେଟ୍ରେ ୩୨୩୪ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ଆକଳନ କରିଛି କୃଷି ବିଭାଗ । ତେବେ ଚାଷୀ ହିତାଧିକାରୀଙ୍କ ସଂଖ୍ୟା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି । ୨୦୧୫-୧୬ ପାଇଁ ହୋଇଥିବା ୧୦ ମ କୃଷି ଗଣନା ରିପୋର୍ଟ (ସର୍ବଶେଷ ସର୍ଭେ) ପ୍ରକାଶ କରାଗଲେ ଅନ୍ତତଃ ପକ୍ଷେ କ୍ଷୁଦ୍ର ନାମମାତ୍ର, ପ୍ରକୃତ ଚାଷୀ (ଭାଗଚାଷୀ) ଙ୍କ ପରିସଂଖ୍ୟରାନ ସ୍ପଷ୍ଟ ହୋଇ ସେ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ମୋଚନ ହୋଇପାରେନ୍ତା । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାତୀୟ ସ୍ତରରେ ଏହି ରିପୋର୍ଟ ପ୍ରକାଶ କରିବାର ଦୀର୍ଘ ୮ ମାସ ପରେ ବି ସେହି ରିପୋର୍ଟକୁ ଚାପି ରଖିଛି ରାଜ୍ୟ ପରିସଂଖ୍ୟାନ ଓ ଅର୍ଥନୈତିକ ନିର୍ଦ୍ଦେଶାଳୟ । କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ ନେଇ ଗତକାଲି (ଜୁନ ୪ ତାରିଖ) କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ପୂର୍ବରୁ ଅର୍ଥାତ ୨୦୧୮-୧୯ ରେ ୪୨.୬୬ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ (ଭାଗ ଚାଷୀ), ଭୂମିହୀନ ଚାଷୀ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୨୦୧୯-୨୦ ରେ ସେହି ତାଲିକାରେ ଅତିରିକ୍ତ ୨.୪ ଲକ୍ଷ କ୍ଷୁଦ, ନାମମାତ୍ର, ପ୍ରକୃତ ଚାଷୀ (ଭାଗ ଚାଷୀ) ସହିତ ୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ଯୋଡ଼ା ଯାଇଥିଲା । ନବୀନ ସରକାର ପଞ୍ଚମ ଥର ପାଇଁ କ୍ଷମତାସୀନ ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଅତିରିକ୍ତ ୩୨.୩୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସୁବିଧା ହେବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ଏହି ତାଲିକାରେ ଅଛନ୍ତି ୭.୫ ଲକ୍ଷ ଓ ୨୪.୮୪ ଲକ୍ଷ କ୍ଷୁଦ୍ର ନାମମାତ୍ର, ପ୍ରକୃତ ଚାଷୀ (ଭାଗଚାଷୀ), ଭୂମିହୀନ ଚାଷୀ ପରିବାର । ଏହା ଫଳରେ ମୋଟ ହିତାଧିକାରୀ ଚାଷୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି । ଏହି ୭୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ୫୦ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ (ଭାଗ ଚାଷୀ) ଥିବା ବେଳେ ଅବଶିଷ୍ଟ ୨୫ ଲକ୍ଷ ହେଉଛନ୍ତି ଭୂମିହୀନ ଚାଷୀ ପରିବାର । ୧୦ମ କୃଷି ଗଣନା ରିପୋର୍ଟ ଦର୍ଶାଇଛି ଯେ ରାଜ୍ୟରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚାଷଜମି ପରିମାଣ କମିବାରେ ଲାଗିଛି । ୨୦୧୦-୧୧ ୯ମ କୃଷି ଗଣନାରେ ମୋଟ ଚାଷୀଙ୍କ ସଂଖ୍ୟରା ଥିଲା ୪୬ ଲକ୍ଷ ୬୭.୪୬୬ । ୨୦୧୫-୧୬ ରେ ଏହି ସଂଖ୍ୟା ୪୮ ଲକ୍ଷ ୪୫.୮୫୦ କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ କେବଳ ନାମ ମାତ୍ର ଚାଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୦୧୦-୧୧ ରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ୩୩.୬୮ ଲକ୍ଷ ଥିବା ବେଳେ ୨୦୧୫-୧୬ ରେ ଏହା ୩୬.୩୭ ଲକ୍ଷକୁ ବଢ଼ିଛି । ଅନ୍ୟ ପକ୍ଷରେ ୨୦୧୦-୧୧ କୃଷି ଗଣନା ରିପୋର୍ଟ ତୁଳନାରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୮.୮୭ ଲକ୍ଷକୁ, ଅଧ ମଧ୍ୟମ ଚାଷୀଙ୍କ ସଂଖ୍ୟା ୨.୮୭ ଲକ୍ଷକୁ, ମଧ୍ୟମ ଚାଷୀଙ୍କ ସଂଖ୍ୟା ୪୯ ହଜାର ଓ ବୃହତ ଚରାଷୀଙ୍କ ସଂଖ୍ୟା ୪ ହଜାରକୁ ହ୍ରାସ ପାଇଛି । ତେବେ ଏହି ରିପୋର୍ଟରେ ଭୂମିହୀନ କୃଷି ଶ୍ରମିକଙ୍କ ତଥ୍ୟର ଅଭାବ ରହିଛି । ରାଜ୍ୟ ସରକାର ମୋଟାମୋଟି ଚାଷୀ ହିତାଧିକାରୀଙ୍କ ସଂଖ୍ୟା ୫୦ ଲକ୍ଷ ଦର୍ଶାଇଥିବା ବେଳେ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କ ସଂଖ୍ୟା ୨୫ ଲକ୍ଷରେ ସୀମିତ ରଖିଛନ୍ତି ।