ସହରାଞ୍ଚଳରେ ହାରାହାରି ଦରମା ୨୧,୬୪୭ ଟଙ୍କା
ନୂଆଦିଲ୍ଲୀ: ସହରାଞ୍ଚଳରେ ଚାକିରି କରୁଥିବା ଲୋକମାନଙ୍କ ହାରାହାରି ଦରମାରେ ୭.୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧-୨୨ର ଦ୍ବିତୀୟ ତ୍ରୈମାସିକରେ ସହରାଞ୍ଚଳ ଲୋକମାନଙ୍କ ମାସିକ ହାରାହାରି ଦରମା ୨୦,୦୩୦ ଟଙ୍କା ଥିଲା। ୨୦୨୩ର ପ୍ରଥମ ତ୍ରୈମାସିକରେ ତାହା ୨୧,୬୪୭ ଟଙ୍କାକୁ ବୃଦ୍ଧି ପାଇଛି ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍ର ଏକ ରିପୋର୍ଟରୁ ଜଣାପଡ଼ିଛି।
ନିୟମିତ ବ୍ୟବଧାନରେ କରାଯାଉଥିବା ଶ୍ରମ ଶକ୍ତି ସର୍ବେକ୍ଷଣ ତଥ୍ୟ ଅନୁସାରେ ସହରାଞ୍ଚଳ ଦିନମଜୁରିଆଙ୍କ ଦୈନିକ ପାରିଶ୍ରମିକ ଏହି ସମୟରେ ୩୮୫ ଟଙ୍କାରୁ ବୃଦ୍ଧି ପାଇ ୪୬୪ ଟଙ୍କା ହୋଇଛି। ଗୋଟିଏ ପଟେ ସହରାଞ୍ଚଳ ବେତନଭୋଗୀଙ୍କ ଦରମାରେ ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ଗ୍ରାମାଞ୍ଚଳ ବେତନଭୋଗୀଙ୍କ ଦରମା ଏହି ସମୟରେ ସ୍ଥିର ରହିଛି।
ଆଲୋଚ୍ୟ ୧୮ ମାସ ସମୟ ଖଣ୍ଡରେ ଗ୍ରାମାଞ୍ଚଳ ବେତନଭୋଗୀଙ୍କ ହାରାହାରି ମାସିକ ଦରମା ୧୪,୭୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ ବାସ କରୁଥିବା ଦିନ ମଜୁରିଆଙ୍କ ଦୈନିକ ପାରିଶ୍ରମିକ ଏହି ସମୟରେ ୩୦୨ ଟଙ୍କାରୁ ବୃଦ୍ଧି ପାଇ ୩୬୮ ଟଙ୍କା ହୋଇଛି।