ଗଛ ପାଇଁ ଆତ୍ମହତ୍ୟା

ଗଛ ପାଇଁ ଆତ୍ମହତ୍ୟା

ଭୁବନେଶ୍ୱର : ପରିବେଶ ପାଇଁ ଗଛ ଖୁବ୍ ମହତ୍ୱପୂର୍ଣ୍ଣ । ଗଛ ପାଇଁ ମଣିଷ ଜୀବନ ତିଷ୍ଠି ରହିଛି । କିନ୍ତୁ ପୃଥିବୀ ପୃଷ୍ଠରେ ଏମିତି କିଛି ଗଛ ରହିଛି ଯାହା ଖୁବ୍ ବିଷାକ୍ତ ଓ ବିପଦପୂର୍ଣ୍ଣ । ଏହି ଗଛ କାହାର ଜୀବନ ନେଇପାରେ । ଦୁନିଆର ସବୁଠୁ ବିଷାକ୍ତ ଗଛ ହେଉଛି - ଜିମ୍ପି ଜିମ୍ପି ।

ଏହି ଗଛ ଦେଖିବାକୁ ସାଧାରଣ ଗଛ ପରି କିନ୍ତୁ ଏହା ଖୁବ୍ ବିଷାକ୍ତ । ଏହି ଗଛକୁ ସ୍ପର୍ଶ କଲେ ଗରମ ଏସିଡ଼୍ ପରି ଜଳିବା ଏବଂ ବିଜୁଳି ଝଟକାର ଅନୁଭବ ହୋଇଥାଏ  । କୁହାଯାଏ ଏହାର ଦଂଶନ ଏତେ ଭୟାନକ ଯନ୍ତ୍ରଣା ଦେଇଥାଏ ଯେକୈାଣସି ବ୍ୟକ୍ତି ଯନ୍ତ୍ରଣା ସହ୍ୟ ନକରିପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି ।

ଏଥିପାଇଁ ଏହି ଗଛକୁ ସୁଇସାଇଡ଼ ପ୍ଲାଂଟ ବା ଆତ୍ମହତ୍ୟା ଗଛ କୁହାଯାଏ । ଅଷ୍ଟ୍ରେଲିଆର ବୈଜ୍ଞାନିକ ମରିନା ହର୍ଲ ଏହିଗଛ ସଂସ୍ପର୍ଶରେ ଆସିଥିଲେ । ହାତରେ ୱେଲଡ଼ିଂ ଗ୍ଲୋଭସ୍ ଏବଂ ବଡ଼ିସୁଟ୍ ପିନ୍ଧିଥିଲେ ମଧ୍ୟ ଗଛର ବିଷ ତାଙ୍କ ଶରୀରକୁ ପ୍ରବେଶ କରିଥିଲା । ଯନ୍ତ୍ରଣା ଏତେ କଷ୍ଟକର ଥିଲା ଯେ ତାଙ୍କୁ ଡ଼ାକ୍ତରଖାନାରେ ରହିବାକୁ ପଡ଼ିଥିଲା ଏବଂ ଷ୍ଟେରଏଡ଼ ଖାଇବାକୁ ପଡ଼ିଥିଲା ।

କୁହାଯାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବହୁ ସେନା ଅଧିକାରୀ ଏହି ଗଛ ସଂସ୍ପର୍ଶରେ ଆସି ଯନ୍ତ୍ରଣାର ଶିକାର ହୋଇଥିଲେ । ଅନେକ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଥିଲେ । ଯେଉଁମାନେ ଜୀବିତ ରହିଯାଇଥିଲେ ଅନେକ ବର୍ଷ ଯାଏଁ ଯନ୍ତ୍ରଣା ସହିଥିଲେ । ଏହି ଗଛର ବାୟୋଲୋଜିକାଲ ନାଁ ଡେ଼ଣ୍ଡ୍ରୋକନାଇଡ଼୍ ମୋରୋଇଡ଼ସ୍ ।

ଏହା ଅଷ୍ଟ୍ରେଲିଆର ଉତର ପୂର୍ବ ବର୍ଷା ବଣରେ ଦେଖିବାକୁ ମିଳିଥାଏ । ଗଛଟି ଇଣ୍ଡୋନେସିଆ ଏବଂ ମୋଲକ୍କସ ରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ୩ରୁ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥାଏ । ଏହା କଂଟା ଯୁକ୍ତ ହୋଇଥିବାରୁ କଂଟା ମାଧ୍ୟମରେ ବିଷ ଶରୀରକୁ ଯାଇଥାଏ । ଯେହେତୁ ଏଥିରେ ନୁ୍ୟରୋଟକ୍ସିନ ବିଷ ରହିଥାଏ , ସେଥିପାଇଁ ଏହାର ପ୍ରଭାବ ସିଧା ନର୍ଭସ ସିଷ୍ଟମ ଉପରେ ପଡେ଼ ଓ ମୃତୁ୍ୟ ଘଟେ ।